ଏମ ଜଗଦେଶ କୁମାର ୟୁଜିସି ଅଧ୍ୟକ୍ଷ ନିଯୁକ୍ତ
ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର (ଜେଏନୟୁ)ର କୁଳପତି ଏମ ଜଗଦେଶ କୁମାରଙ୍କୁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଶୁକ୍ରବାର ଦିନ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଜଗଦେଶଙ୍କ କାର୍ଯ୍ୟକାଳ ସମୟରେ ଜେଏନୟୁରେ ଅନେକ ବିବାଦ ଲାଗି ରହିଥିଲା । ଗତବର୍ଷ ଜେଏନୟୁରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ବର୍ତମାନ କାର୍ଯ୍ୟବାହକ କୁଳପତି ଭାବେ ଦାୟିତ୍ୱ ତୁଲାଉ ଥିଲେ ।
ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି “ଜଗଦେଶ କୁମାରଙ୍କୁ ୟୁଜିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି” । ପ୍ରଫେସର ଜିସି ସିଂହଙ୍କର ୬୫ ବର୍ଷ ବୟସ ହୋଇଥିବାରୁ ସେ ୟୁଜିସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଡିସେମ୍ବର ମାସରୁ ଏହି ପଦ ଖାଲି ରହିଥିଲା । ୨୦୧୮ରେ ଜିସି ସିଂହ ୟୁଜିସିର ଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ । ଏବେ ଉଚ୍ଚଶିକ୍ଷା ନିୟାମକର ଅଧ୍ୟକ୍ଷ ପଦ ମଧ୍ୟ ଖାଲି ରହିଛି । ଜଗଦେଶ କୁମାରଙ୍କୁ ଜାନୁଆରୀ ୨୦୧୬ରେ ଜେଏନୟୁର କୁଳପତି ଭାବେ ନିଯୁକ୍ତ କରାଯାଇ ଥିଲା । ଜେଏନୟୁରେ ଏମ ଜଗଦେଶ କୁମାରଙ୍କ ସ୍ଥାନ କିଏ ଗ୍ରହଣ କରିବେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ତାହା ସ୍ଥିର କରିନାହିଁ । ଏମ ଜଗଦେଶ କୁମାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ମାଡ୍ରାସରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ଏମଏସ ଓ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ।
