ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀଙ୍କ ବଦଳି ନହେଲେ ତାଲାବନ୍ଦ ଆନ୍ଦୋଳନ, ବିଇଓଙ୍କୁ ଦାବିପତ୍ର ପ୍ରଦାନ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ଗଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବଳରାମ ବେହେରା ଓ ସହକାରୀ ଶିକ୍ଷୟିତ୍ରୀ ମିନତୀ ସୋରେନଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଓ ଶାନ୍ତି କମିଟିକୁ ବେଖାତିର୍ କରି ବିଦ୍ୟାଳୟରେ ହେଉଥିବା ବିଭିନ୍ନ ଅନିୟମିତତା ଓ ବିଶୃଙ୍ଖଳା ପାଇଁ ସେମାନଙ୍କ ବଦଳି ଦାବୀ ହୋଇଛି ।
ବସ୍ତା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ (ବିଇଓ) ସ୍ନିଗ୍ଧା ପଣ୍ଡାଙ୍କୁ ଭେଟି କମିଟି ସଭାପତି ରାଜେନ୍ଦ୍ର ପାଣିଗ୍ରାହୀ, ଉପ-ସଭାନେତ୍ରୀ ଅଞ୍ଜନା ବାରିକ, ସଭ୍ୟ ଯୋଗେନ୍ଦ୍ର ଦାସ, ମନୋରଞ୍ଜନ ଦାସ, ସନାତନ ସିଂ, ସଭ୍ୟା ମମତା ରାଉଳ, ଅବିଭାବକ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ଉଭୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ବଦଳି ପାଇଁ ଏକ ଦାବିପତ୍ର ପ୍ରଦାନ କରି ଉପୁଜିଥିବା ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାନଗଲେ ଏକ ସପ୍ତାହ ପରେ ଅବିଭାବକଙ୍କ ପକ୍ଷରୁ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ବିଦ୍ୟାଳୟଟି ଆଞ୍ଚଳିକ ସାଧନକେନ୍ଦ୍ର ହୋଇଥିବାରୁ ଏଠାରେ ଜଣେ ଦକ୍ଷ ଓ ଅଭିଜ୍ଞ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ହେଉ ବୋଲି ବିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଘଟଣା ସମ୍ପର୍କରେ ବୁଝାସୁଝା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଇଓ ସ୍ନିଗ୍ଧା ପଣ୍ଡା କହିଛନ୍ତି ।
