ରେଳ ଧାରଣାରୁ ଖସିଲା ଲୋକାଲ୍ ଟ୍ରେନ୍, ଟଳିଲା ବଡ ଦୁର୍ଘଟଣା
ଚେନ୍ନାଇ : ଟଳିଗଲା ବଡ ଦୁର୍ଘଟଣା। ଚେନ୍ନାଇ ଷ୍ଟେସନରେ ରବିବାର ଏକ ଖାଲି ଲୋକାଲ ଟ୍ରେନ୍ ରେଳ ଧାରଣାରୁ ଖସିଯାଇଥିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ରେଲଓ୍ବେ ସୂତ୍ରରୁ ଜଣାପଡିଛି ।
ଦକ୍ଷିଣ ରେଲଓ୍ବେ ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ ଏକ ଖାଲି ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍(ଇଏମ୍ୟୁ)କୁ ୟାର୍ଡରୁ ପ୍ଲାଟଫର୍ମକୁ ନିଆଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଇଏମ୍ୟୁକୁ ବ୍ୟସ୍ତବହୁଳ ବିଚ୍-ତାମ୍ବରମ୍ ମାର୍ଗ ପଟକୁ ନିଆଯାଉଥିଲା । ଦକ୍ଷିଣ ରେଲଓ୍ବେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏସ୍. ଗୁଗଣେଶ୍ବର କହିଛନ୍ତି ଯେ, ସେଡ୍ ଲାଇନ୍ରୁ ପ୍ଲାଟଫର୍ମ ୧କୁ ଏକ ଖାଲି ଇଏମ୍ୟୁ ର୍ୟାକ୍କୁ ନିଆଯାଉଥିବା ସମୟରେ ଏହି ର୍ୟାକ୍ ପ୍ଲାଟଫର୍ମ ବଫର ଏଣ୍ଡକୁ ଭାଙ୍ଗି ଆଗକୁ ଯାଇଥିଲା । ପ୍ଲାଟଫର୍ମ ୧କୁ କ୍ଷତିଗ୍ରସ୍ତ କରିଛି । ସେହିପରି ର୍ୟାକ୍ ସମ୍ପୂର୍ଣ୍ଣ ଭାବେ ଖାଲି ଥିଲା । ସେଥିରେ କୌଣସି ଯାତ୍ରୀ ନଥିଲେ । ପ୍ଲାଟଫର୍ମ ଉପରେ କୌଣସି ଯାତ୍ରୀଙ୍କ ମୃତାହତ ହେବାର ସୂଚନା ନାହିଁ । ସେହିପରି ଏହି ପ୍ରକ୍ରିୟାରେ ପ୍ଲାଟଫର୍ମରେ ଆଶ୍ରୟସ୍ଥଳ ନଷ୍ଟ ହୋଇଯାଇଛି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଉପଯୁକ୍ତ ସ୍ତରରେ ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି । ବ୍ରେକ୍ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି ।
