୨ ଦିନ ଯାଏଁ ଉତର ଓଡିଶାରେ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆସନ୍ତାକାଲି (ମଙ୍ଗଳବାର)ଓ ବୁଧବାର ଦୁଇ ଦିନ ପାଇଁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ଦୁଇଦିନ ପାଇଁ ଘନ କୁହୁଡ଼ି ଦେଖାଯିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଉତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୮ ତାରିଖରେ କେନ୍ଦୁଝର, ମୟୂରଭଂଜ,ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ତେବେ ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ରହିବ । ଅପରପକ୍ଷରେ ଘନ କୁହୁଡି ସମ୍ଭାବନା ଥିବାରୁ ୨୪ ଘଂଟା ପାଇଁ ୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଼ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ଗଂଜାମ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୨୦୦ ମିଟର ଭିଜିବିଲିଟି ରହିପାରେ ।
