ବାଲେଶ୍ୱର : ୭ ଦେଶୀ ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ବୁଧବାର ଜିଲାର ୭ ଦେଶୀ ମଦ ଦୋକାନ ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଲାଇସେନ୍ସ ପ୍ରଦାନ କାର୍ଯ୍ୟ ସମ୍ପାଦିତ ହୋଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଭବେଶ କୁମାର ନାୟକ, ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲାର ୧୭ଟି ଦେଶୀ ମଦ ଦୋକାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭ଟି ମଦ ଦୋକାନ ପାଇଁ ଆବେଦନପତ୍ର ମିଳିଥିଲା । ଆବେଦକମାନେ ୧ଲକ୍ଷ ଟଙ୍କା ଜମା କରି ଏହି ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।
ଲଟେରୀ ମାଧ୍ୟମରେ ଚୟନ କରାଯାଇ ଲାଇସେନ୍ସ ପ୍ରଦାନର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହି ୭ଟି ଦେଶୀ ମଦ ଦୋକାନ ପାଇଁ ଏକକ ଆବେଦକ ଥିବାରୁ ଲଟେରୀ ଉଠାଣର ଆବଶ୍ୟକ ପଡି ନ ଥିଲା । ଆବେଦକମାନଙ୍କ ନାମ ପଢି ଓ ସେମାନଙ୍କ ଡକ୍ୟୁମେଂଟ ଯାଂଚ କରି ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଆବେଦକମାନଙ୍କୁ ୫ବର୍ଷ ପାଇଁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି । ପରବର୍ତୀ ପର୍ଯ୍ୟାୟରେ ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଆଉ ଦଶଟି ଦେଶୀ ମଦ ଦୋକାନ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇ ଲାଇସେନ୍ସ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ଶତପଥି ପ୍ରକାଶ କରିଛନ୍ତି । ଜିଲା ଅବକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ ।


