କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ନୀଳଗିରି : ନୀଳଗିରି କ୍ଷୁଦ୍ର ଜଳ ସେଚନ ବିଭାଗର ଯନ୍ତ୍ରୀ ରମେଶ ଦାଶ ଦୀର୍ଘଦିନ ଧରି ଉକ୍ତ କାର୍ଯ୍ୟାଳୟରେ ରହି ଆସୁଥିବା ବେଳେ ମନଇଚ୍ଛା ବିଭିନ୍ନ ଚେକଡ୍ୟାମ ପ୍ରକଳ୍ପ ନିମ୍ନାମନର ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ନୀଳଗିରିର ପୂର୍ବତନ ବିଧାୟକ ଚିତରଞ୍ଜନ ଷଡ଼ଙ୍ଗୀ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚବ, ୫ଟି ସେକ୍ରେଟାରୀ, ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ନିର୍ମାଣଧୀନ ସମସ୍ତ ଚେକଡ୍ୟାମ, କାର୍ଯ୍ୟକାରୀ ହେଉ ନ ଥିବା ବେଳେ ସମ୍ପୃକ୍ତ ଯନ୍ତ୍ରୀ ଜଣକ ମିଥ୍ୟା ବିଲ୍ କରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।
୯ବର୍ଷ ଧରି ଗୋଟିଏ ଜାଗାରେ ରହିବା ସରକାରଙ୍କର ପାରିବାପଣିଆକୁ ଦର୍ଶାଉଛି । ସୋର ଡିଭିଜନରେ ଥିବା ହଦଗଡ଼ କେନାଲ ପ୍ରକଳ୍ପ ଯୋଜନାରେ ଆସୁଥିବା କେନାଲରେ ଯନ୍ତ୍ରୀଙ୍କର ରାଜକୀୟ କୋଠାଘର ପଡୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଥିବାରୁ କୌଶଳ କ୍ରମେ ନିଜର କୋଠାଘରକୁ ସୁରକ୍ଷିତ ରଖି କେନାଲକୁ ଘୁଂଚାଇ ଦେଇଥିବା ବେଳେ ସମସ୍ତ ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ସମସ୍ତ ଗୁମର କଥା ପଦାକୁ ଆସିବ ବୋଲି ଶ୍ରୀ ଷଡ଼ଙ୍ଗୀ ଦାବୀ କରନ୍ତି ।
