ଆସନ୍ତୁ ଜାଣିବା ଆଂଶିକ ଲକ୍ଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ?
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ରାଜ୍ୟ ସରକାର ଗତ ମେ’ ମାସ ୫ ତାରିଖ ଠାରୁ ୩ଟି ପର୍ଯ୍ୟାୟରେ ଲକ୍ଡାଉନ୍ ଘୋଷଣା କରିଥିଲେ । ୩ୟ ପର୍ଯ୍ୟାୟରେ ଲକ୍ଡାଉନ କଟକଣା ଜୁନ ୧୭ ତାରିଖ (ଗୁରୁବାର) ସକାଳ ୫ଟା ଯାଏଁ ଥିଲା । ସେହିପରି ୨ ଦିନିଆ ସପ୍ତାହାନ୍ତ ସଟ୍ଡାଉନ ମଧ୍ୟ ସାମିଲ ଥିଲା, ଯାହାକି ଏବେ ବି ଜାରି ରହିବ । ରାଜ୍ୟ ଲକ୍ଡାଉନ୍ ହେବାପରେ ସକାଳ ୭ଟାରୁ ମଧ୍ୟାହ୍ନ ୧୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିଲା । ମାତ୍ର ଏହାପରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ନେଇ ରାଜ୍ୟ ସରକାର ବୁଧବାର ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଲକ୍ଡାଉନ୍ କଟକଣା ପୂର୍ବ ଅପେକ୍ଷା ଅଧିକ କୋହଳ ହୋଇଛି । କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ ଆସନ୍ତା ୧୪ ଦିନ ପାଇଁ ଆଂଶିକ ଲକଡାଉନ ଲାଗୁ କରାଯାଇଛି । ଏହା ଆସନ୍ତାକାଲି ସକାଳ ୫ଟା ଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ। ସରକାର ସଂକ୍ରମଣ ହାର ଅନୁସାରେ ଜିଲ୍ଲାମାନଙ୍କୁ ‘ଏ’ ଓ ‘ବି’ କ୍ୟାଟଗୋରୀରେ ବିଭକ୍ତ କରିଛନ୍ତି। ଏଥିରେ ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଙ୍କୁ କ୍ୟଟେଗରୀ ‘ଏ’ ଅନ୍ତର୍ଭୁକ୍ତ କରିଛନ୍ତି। ଥିରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲା କ୍ୟାଟଗରି ‘ଏ’ରେ ରହିଛନ୍ତି। ‘ଏ’ କ୍ୟାଟଗରି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରହି ପାରିବ। ତେବେ ଏହି ସବୁ ଜିଲ୍ଲାରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ସହ ନାଇଟ୍ କର୍ଫ୍ୟୁ ଜାରି ରହିବ। ଉପକୂଳବର୍ତ୍ତି ୧୩ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ହେଉଥିଲେ ମଧ୍ୟ ଉଚ୍ଚ ରହିଛି। ଏଣୁ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ୧୩ ଜିଲ୍ଲାଙ୍କୁ କ୍ୟାଟଗରି ‘ବି’ ଅନ୍ତର୍ଗତ କରିଛନ୍ତି। ବି କ୍ୟାଟେଗରି ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟବଶକୀୟ ସାମଗ୍ରୀ ଲାଗି ଦୋକାନ ବଜାର ଖୋଲିବ। ପୂର୍ବ ପରି ସପ୍ତାହନ୍ତ ସଟଡାଉନ ସହ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ।
ଜାଣନ୍ତୁ କ’ଣ ହେଲା କୋହଳ, କେଉଁଥି ପାଇଁ ଜାରି ରହିବ କଟକଣା :-
ମର୍ଣ୍ଣିଂ ୱାକ୍, ଜଗିଙ୍ଗ, ସାଇକ୍ଲିଂ ଲାଗି ନିମୟ କୋହଳ କରାଯାଇଛି। ସକାଳ ୭ରୁ ୯ ପର୍ଯ୍ୟନ୍ତ ମର୍ଣ୍ଣିଂ ୱାକ୍, ଜଗିଙ୍ଗ ଓ ସାଇକ୍ଲିଂ ଲାଗି ଅନୁମତି ଦିଆଯାଇଛି। ତେବେ ଜିମ୍, ସ୍ୱିମିଂ ପୁଲ, ପାର୍କ ନିୟମ ପୂର୍ବ ଭଳି କଡ଼ାକଡ଼ି ରହିଛି। ସେହିପରି ଦୋକାନ ବଜାର ଖୋଲିବାକୁ ଅନୁମତି ଥିଲେ ହେଁ ସେଲୁନ୍,ପାର୍ଲର ଫିଲ୍ମ ହଲ, ମଲ ଆଦି ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ରାସ୍ତା କଡ ଦୋକାନ ଖୋଲିବାକୁ ଅନୁମତି ରହିଛି ତେବେ ମିଠା, ଚା ଜଳଖିଆ ଦୋକାନ ଖୋଲିଲେ ବି ଦୋକାନରେ ବସାଇ ଖାଇବାକୁ ଅନୁମତି ନାହିଁ।
ବସ୍ ଓ ଯାତ୍ରୀ ପରିବହନ ରହିବ ବନ୍ଦ, ୫୦% କର୍ମଚାରୀରେ ଖୋଲିବ ଅଫିସ:-
ସରକାର ଆଂଶିକ ଲକଡାଉନରେ କୌଣସି ପ୍ରକାର ଯାତ୍ରୀ ପରିବହନ ଅନୁମତି ଦେଇ ନାହାନ୍ତି। ଏଣୁ ଟାଉନ ବସ୍, ଅଟୋ ରିକ୍ସା ଓ ଦୂରଗାମୀ ବସ୍ ସେବାରେ ଲଗାଇଥିବା କଟକଣା କୋହଳ କରି ନାହାନ୍ତି। ଏଣୁ ଯାତ୍ରୀ ପରିବହନ ସେବା ଏବେ ବି ଠପ ରହିବ। ସରକାରଙ୍କ ଆଂଶିକ ଲକଡାଉନରେ ସରକାରୀ କାର୍ଯ୍ୟାଳୟ ଖୋଲିବ। ତେବେ ୫୦ ପ୍ରତିଶତ କର୍ମଚାରୀରେ କଡ଼ା କୋଭିଡ କଟକଣାରେ କାର୍ଯ୍ୟ ଚଳାଇାକୁ ସରକାର ଅନୁମତି ଦେଇଛନ୍ତି। ଏହି ସମୟରେ ସ୍ୱସ୍ଥ୍ୟ ସେବା ଓ ଟିକାକରଣ ସ୍ୱଭାବିକ ରହିବ। ରାଜ୍ୟରେ ପୂର୍ବ ଭଳି ଉତ୍ସବ ଅନୁଷ୍ଠାନ, ବିବାହ ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମ ଆଦି ଲାଗି ଏବେବି ନିୟମ କଡାକଡି ରହିଛି। ଏପରି କାର୍ଯ୍ୟକ୍ରମର ଆୟୋଜନ ଓ ଜନସମାଗମକୁ କଡ଼ାକଡ଼ି ନିଷିଦ୍ଧ କରାଯାଇଛି।

