ଭାରତରେ ପୁଣି ଦୌଡ଼ିବ ଚିତା ବାଘ, ରୂପରେଖ ପ୍ରସ୍ତୁତ କଲା କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଭାରତରେ ପୁଣି ଦୌଡ଼ିବ ଚିତା ବାଘ । ଏହି ବନ୍ୟପ୍ରାଣୀଙ୍କୁ ପୁଣି ଥରେ ଭାରତୀୟ ଜଙ୍ଗଲରେ ଛାଡିବାକୁ କେନ୍ଦ୍ର ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ୬ଟି ଚିତା ବାଘ ଅଣାଯିବ । ମଧ୍ୟପ୍ରଦେଶର କୁନୋ ପାଲପୁର ଜାତୀୟ ଉଦ୍ୟାନରେ ଛାଡିବା ପାଇଁ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଉଦ୍ୟାନ ପରିସରରେ ସ୍ୱତନ୍ତ୍ର ଏନକ୍ଲୋଜର ପ୍ରସ୍ତୁତ ହୋଇଛି । ଚଳିତ ମାସରେ ଉଭୟ ଦେଶର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ଏହି ଅଞ୍ଚଳ ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କରିବେ ।
କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଅନ୍ତଃଦେଶୀୟ ବାଘ ସ୍ଥାନାନ୍ତର କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏକ ଦଶନ୍ଧିରୁ ଅଧିକ ସମୟ ହେବ ଏହି ଯୋଜନା କାର୍ୟ୍ୟକାରୀ କରିବା ପାଇଁ ଚିନ୍ତନ ଚାଲିଥିଲେ ବି ସଫଳତା ମିଳିନଥିଲା । ୨୦୧୨ରେ ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ୨୦୨୦ରେ କୋର୍ଟ ରହିତାଦେଶ ଉଠାଇବା ପରେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା । ଆସିବାକୁ ଥିବା ଚିତା ଗୋଟିଏ ବର୍ଷ ପାଇଁ ପରୀକ୍ଷାମୂଳକ ଭାବେ ରଖାଯାଇ ପରବର୍ତ୍ତୀ ସମୟରେ ଜଙ୍ଗଲକୁ ଛଡାଯିବ ।
ଯଦି ଏହି ପ୍ରକଳ୍ପ ସଫଳ ହେଲେ ପରବର୍ତ୍ତୀ ସମୟରେ ଆହୁରି ଚିତା ଆଣିବାକୁ କେନ୍ଦ୍ର ସରକାର ବିଚାର କରିବେ । ଏନେଇ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି । ୧୯୫୨ରେ ଭାରତରେ ବିଲୁପ୍ତ ବୋଲି ଘୋଷଣା ହୋଇଥିବା ଚିତା ନିଜର ଶିକାର ଧରିବାକୁ ଘଣ୍ଟା ପ୍ରତି ୭୦ରୁ ୧୧୨ କିମି ବେଗରେ ଦୌଡ଼ିପାରେ । ବିଶ୍ୱରେ ଏବେ ମାତ୍ର ୭୧୦୦ ଚିତା ରହିଛନ୍ତି ।
