ବାଲେଶ୍ୱରରେ ଲିମ୍ଫାଟିକ୍ ଫାଇଲେରିଆ ନିରାକରଣ ପାଇଁ ଏମ୍ଡିଏ କାର୍ଯ୍ୟକ୍ରମର ଶୁଭାରମ୍ଭ
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଲିମ୍ଫାଟିକ୍ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ (ଏମ୍ଡିଏ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ଲିମ୍ଫାଟିକ୍ ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ ଦିଗରେ କୌଣସି ପ୍ରୟାସ ହାତଛଡ଼ା ନକରିବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗ ପ୍ରତିବଦ୍ଧ ବୋଲି ଅତିଥିମାନେ ସୂଚନା ଦେଇଛନ୍ତି ।
ଏମ୍ଡିଏ ପର୍ଯ୍ୟାୟ ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ଦୁଲାଳସେନ ଜଗଦେବ କହିଥିଲେ ଯେ, ଏମ୍ଡିଏ ପର୍ଯ୍ୟାୟଗୁଡ଼ିକ ସଫଳ କରିବା ସକାଶେ ଗୋଷ୍ଠୀ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଆମର ଦୃଷ୍ଟିନିବଦ୍ଧ ରହିଛି । ତାହାସହିତ ଔଷଧଗୁଡ଼ିକ ବଣ୍ଟନ କରାନଯାଇ, ତାହା ଯେଭଳି ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସେବନ କରାଯିବ, ତାହା ମଧ୍ୟ ଆମକୁ ସୁନିଶ୍ଚିତ କରିବାକୁ ହେବ । ଜନସମୁଦାୟଙ୍କୁ ନିବେଦନ କରି ସେ ଆହୁରି କହିଥିଲେ ଯେ, ଜନସାଧାରଣ ନିଜକୁ ଏବଂ ନିଜ ପରିବାରଗୁଡ଼ିକୁ ଫାଇଲେରିଆରୁ ସୁରକ୍ଷିତ ରଖିବା ନିମନ୍ତେ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଏହି ଔଷଧ ସେବନ କରିବା ଅନିବାର୍ଯ୍ୟ । ସେ ମଧ୍ୟ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନିନେବନ କରି କରିଥିଲେ, “ତୁମେମାନେ ଏହି କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡ଼ର ଏବଂ ତମେମାନେ ନିଶ୍ଚିତ ଭାବରେ ଏହି ଔଷଧ ସେବନ କରିବା ସହିତ ତୁମ ପରିବାରବର୍ଗ ଏବଂ ସମାଜରେ ଅନ୍ୟମାନଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ଏହି ଔଷଧ ସେବନ କରିବା ନିମନ୍ତେ ପ୍ରବର୍ତ୍ତାଇବାକୁ ହେବ । ତାଙ୍କ ଉଦ୍ବୋଧନ ପରେ ସେ ନିଜେ ଏବଂ ମଞ୍ଚରେ ଉପସ୍ଥିତ ଅନ୍ୟ ଅତିଥିବୃନ୍ଦ ଫାଇଲେରିଆ ନିରୋଧୀ ଔଷଧ ସେବନ କରିଥିଲେ । ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ପାଇଲେରିଆ ନିରୋଧୀ ଔଷଧ ସେବନ କରିଥିଲେ ଏବଂ ତତ୍ସହିତ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା ।
ପ୍ରାରମ୍ଭିକ ଅଭିଭାଷଣ ଅବସରରେ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ଶଶାଙ୍କ ଶେଖର ଚୌଧୁରୀ କହିଥିଲେ ଯେ, ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡ଼ିବା ଦ୍ୱାରା ବ୍ୟାପୀଥାଏ । ବିଶ୍ୱବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆ । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ରୋଗ ଲିମ୍ଫାଟିକ ସିଷ୍ଟମକୁ ନଷ୍ଟ କରିବା ସହିତ ଯଦି ତାହାର ଚିକିତ୍ସା କରାନଯାଏ ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରିଥାଏ । ଫାଲଲେରିଆରେ ଆକ୍ରାନ୍ତ ଲୋକମାନ ଅନେକ ସମୟରେ ହାଇଡ୍ରୋସିଲ୍, ଲିମ୍ଫୋଡେମା (ଗୋଦର (ଅଙ୍ଗପ୍ରତ୍ୟଙ୍ଗ ଫୁଲିବା) ଏବଂ କାଇଲୁରିଆ (ଇଷତ ଦୁଗ୍ଧ ରଙ୍ଗର ପରିସ୍ରା) ଭଳି ସମସ୍ୟାର ଶିକାର ହୋଇଥାନ୍ତି ।”
ସେ ମଧ୍ୟ କରିଥିଲେ ଯେ, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନେ ପ୍ରତି ଘରକୁ ଘର ଫେବୃଆରୀ ୧୦ରୁ ୧୯ ତାରିଖ ମଧ୍ୟରେ ଗସ୍ତ କରିବେ ଏବଂ ଔଷଧ ପ୍ରଦାନକାରୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ସମସ୍ତ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ନିବଦଜନ କରିବେ । ସେ ଏହା ମଧ୍ୟ କହିଥିଲେ ଯେ ଏହି ଔଷଧଗୁଡ଼ିକ ନିରାପଦ, ଏହାର କୌଣସି ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଏବଂ ଏହା ଖାଦ୍ୟ ଖାଇସାରିବା ପରେ ସେବନ କରାଯିବା ଉଚିତ ।
ରାଜ୍ୟ ପରାମର୍ଶଦାତା ଦେବକାନ୍ତ ସନ୍ଦିବିଗ୍ରହ ଗୁରୁତ୍ୱ ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଫାଇଲେରିଆ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଜନସମୁଦାୟ ଯେଭଳି ଫାଲଗେରିଆ ନିରାକରଣ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବେ, ତାହା ଅତ୍ୟନ୍ତ ଗୁରୁତ୍ୱପୂୂର୍ଣ୍ଣ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିନିଧି ଡା. ଦେବକାନ୍ତ ନାୟକ କହିଥିଲେ ଯେ ଜିଲାରେ ସମସ୍ତ ଯୋଗ୍ୟ ହିତାଧିକାରୀ (୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭାବତୀ ମହିଳା ଓ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ) ଅନ୍ୟ ସମସ୍ତଙ୍କୁ ଆଶା, ଅଙ୍ଗନୱାଡ଼ି କର୍ମୀ ଏବଂ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ ।
ଏହି ଅବସରରେ ଆଲୋକ କୁମାର ପଟି ଜିଲା ବାହକ ବାହିତରୋଗ ପରାମର୍ଶଦାତା ଉଲ୍ଲେଖ କରିଥିଲେ ଯେ, ଏମ୍ଡିଏ ପର୍ଯ୍ୟାୟଗୁଡ଼ିକରେ ଏହା ସୁନିଶ୍ଚିତ କରାଯିବ ଯେ ଜିଲାର ସମସ୍ତ ଯୋଗ୍ୟ ହିତାଧିକାରୀ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଧର୍ଯ୍ୟ ଔଷଧ ନିଶ୍ଚିତ ସେବନ କରିବାକୁ ହେବ । ସେ ଆଉ ମଧ୍ୟ କହିଥିଲେ ଯେ, “ପ୍ରାୟ ୯୨୪୯ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ, ୯୨୫ ସୁପରଭାଇଜର, ୭୩ ରାପିଡ ରେସ୍ପନ୍ସ ଟିମ୍ଙ୍କୁ ବ୍ଲକଗୁଡିକରେ ନିୟୋଜିତ କରାଯାଇଛି । ଜିଲାରେ ଧାର୍ଯ୍ୟ ଲକ୍ଷ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୨୩ ଲକ୍ଷ । ଶେଷରେ ଜିଲା ପ୍ରକଳ୍ପ ମ୍ୟାନେଜର ଅନିଲ କୁମାର ମହାନ୍ତି ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତଙ୍କର ସମ୍ମିଳିତ ପ୍ରୟାସ ଦ୍ୱାରା ଲିମ୍ଫାଟିକ ଫାଇଲେରିଆ ଭଳି ରୋଗକୁ ଜିଲାରୁ ନିରାକରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରମଣିକାନ୍ତ ଭଞ୍ଜ, ଜିଲା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀକାନ୍ତ ସେଠି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
