ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ‘ଥାଳି’ର ଶୁଭାରମ୍ଭ, ପରିବେଷଣ ହେବ ୫୬ ପ୍ରକାର ବ୍ୟଞ୍ଜନ
ନୂଆଦିଲ୍ଳୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ଦିଲ୍ଲୀର ଗୋଟାଏ ରେସ୍ତୋରାଁ ପ୍ରଧାନମନ୍ତ୍ରୀଙ୍କ ନାଁ’ରେ ଏକ ‘ଥାଳି’ର ଶୁଭାରମ୍ଭ କରିବ। ଦିଲ୍ଲୀର କନ୍ନଟ୍ ପ୍ଲେସ୍ରେ ଅବସ୍ଥିତ ଉକ୍ତ ‘ଅର୍ଡୋର୍ ୨.୧’ ନାମକ ଉକ୍ତ ରେସ୍ତୋରାଁ ଏହି ବଡ଼ ଆକାରର ଥାଳିରେ ୫୬ ପ୍ରକାର ବ୍ୟଞ୍ଜନ ପରିବେଷଣ କରିବ। ଗ୍ରାହକମାନଙ୍କ ପସନ୍ଦ ଅନୁସାରେ ଏଥିରେ ନିରାମିଷ ଓ ଆମିଷ ଭୋଜନ ରହିବ।
ଏନେଇ ରେସ୍ତୋରାଁର ମାଲିକ ସୁମିତ କଲାରା ଗଣମାଧ୍ୟମକୁ କହିଛନ୍ତି, ମୋଦୀଜୀଙ୍କ ପ୍ରତି ମୋର ଅଗାଧ ସମ୍ମାନ। ସେ ଆମ ଦେଶର ଗୌରବ। ତାଙ୍କ ଜନ୍ମଦିନରେ କିଛି ଗୋଟାଏ ଅଭିନବ ଉପହାର ଦେବାକୁ ମନସ୍ଥ କରି ଆମେ ଏପରି ବିରାଟ ଥାଳି ଶୁଭାରମ୍ଭ କରିବା ପାଇଁ ସ୍ଥିର କରିଛୁ। ଆମେ ଏହାର ନାଁ ଦେଇଛୁ ’୫୬ ଇଞ୍ଚ୍ ମୋଦୀ ଜୀ’ ଥାଳି। ଆମେ ତାଙ୍କୁ ଏହି ‘ଥାଳି’ ପରିବେଷଣ କରିବାକୁ ଆଗ୍ରହୀ। ଆମର ଇଚ୍ଛା, ସେ ଏଠାକୁ ଆସି ଖାଆନ୍ତୁ। କିନ୍ତୁ, ସୁରକ୍ଷା ଦୃଷ୍ଟିରୁ ଆମେ ତାହା କରି ପାରୁ ନାହୁଁ। ତେଣୁ, ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିବା ପ୍ରସଂଶକମାନଙ୍କ ଲାଗି ଆମେ ଏ ଥାଳି ପ୍ରସ୍ତୁତି କରୁଛୁ। ଦୟାପୂର୍ବକ ଆସି ଏହି ଥାଳି ଭୋଜନ କରନ୍ତୁ। କେବଳ ଏତିକି ନୁହେଁ, ଏହି ଥାଳି ଗ୍ରାହକମାନଙ୍କୁ ପୁରସ୍କୃତ ବି କରିପାରେ। ମାଲିକ ସୁମିତ କଲାରା କହିଛନ୍ତି, ଏ ଥାଳି ସଙ୍ଗରେ ଆମେ କିଛି ପୁରସ୍କାର ବି ରଖିଛୁ। ଯଦି ପତିପତ୍ନୀଙ୍କ ମଧ୍ୟରୁ କେହି ୪୦ ମିନିଟ୍ରେ ଏ ଥାଳି ଶେଷ କରି ଦେବେ ତାଙ୍କୁ ୮.୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏହାଛଡ଼ା, ସେପ୍ଟେମ୍ବର ୧୭ରୁ ୨୬ ମଧ୍ୟରେ ଆମ ରେସ୍ତୋରାଁକୁ ଆସି ଏହି ଥାଳି ଭୋଜନ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଲଟେରି ରହିଛି। ଭାଗ୍ୟବାନ ବିଜେତା ଅଥବା ଦମ୍ପତିଙ୍କୁ କେଦାରନାଥ ଯାତ୍ରାରେ ନିଆଯିବ। କାରଣ, କେଦାରନାଥ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗନ୍ତବ୍ୟସ୍ଥଳରୁ ଗୋଟିଏ।
