ବରଗଡରେ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାର ଶୁଭାରମ୍ଭ
- ଜିଲ୍ଲାର ୩ ଲକ୍ଷ ୬୪ ହଜାର ପାଇବେ ସୁବିଧା
- ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
- ବରଗଡରେ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ ।
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବରଗଡରେ ପ୍ରାୟ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିପରି ଜିଲ୍ଲାରେ ୨୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିରେ ରହିଛି – ୨୦୯୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ୨୦୨୩ ସେପ୍େଟମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ଏବଂ ଚାଷୀମାନେ ଏଥିରୁ ପାଣି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବରଗଡ ହେଉଛି ମା ଲକ୍ଷ୍ମୀଙ୍କ ପବିତ୍ର ଭୂମି । ଓଡିଶାର ଭାତ ହାଣ୍ଡି । ବରଗଡର ବୁଣାକାର ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଲେ ଯେ ଚାଷୀଙ୍କ ପରି ବରଗଡର ବୁଣାକାର ମଧ୍ୟ ସାରା ବିଶ୍ୱକୁ ସମ୍ବଲପୁରୀ ଶାଢୀ ଉପହାର ଦେଇଛନ୍ତି । ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶନବ ଦାସ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ .ବିଧାୟିକା ଶ୍ରୀମତୀ.ରୀତା ସାହୁ ,,ଶ୍ରୀମତୀ ସ୍ନେହାଙ୍ଗୀନୀ ଛୁରିଆ ପ୍ରମୁଖ ଉଦ୍ ବୋଧନ ଦେଇ ବିଭିନ୍ନ କ୍ଷେତ୍ରରେ ବିଜେପୁରର ବିକାଶ ଉପରେ ଆଲୋକପାତ କରିଥିଲେ । ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂ ସ୍ୱାଗତ ଭାଷଣ ଦେଇଥିଲେ । ମନ୍ତ୍ରୀ ନିରଂଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
