ଅବକାରୀ ବିଭାଗରେ ଇ-ଅଫିସ ର ଶୁଭାରମ୍ଭ
ଭୁବନେଶ୍ୱର : ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଦ୍ୱାରା ଶୁକ୍ରବାର ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘ଇ-ଅଫିସ୍’ ର ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅବକାରୀ ଆୟୁକ୍ତ ଅଶିଷ କୁମାର ସିଂହ, ଓଡିଶା ପାନୀୟ ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଢଙ୍ଗୀ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ସି.ଏମ୍. ଜି. ଆଇ. ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ ଓ ଏନଆଇସିର ବିଭୂ ପ୍ରସାଦ ମିଶ୍ର ଯୋଗଦେଇ ଇ-ଅଫିସ୍ ର ଉପାଦେୟତା ତଥା ସରକାରଙ୍କ ୫-ଟି ଉପରେ ଏହା ପର୍ଯ୍ୟବେସିତ ହୋଇଥିବା ମତାମତ ପ୍ରଦାନ କରିଥିଲେ । ଅବକାରୀ ବିଭଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଆଗାମୀ ଦିନରେ ଇ-ଅଫିସ୍ ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମର କାର୍ଯ୍ୟଧାରାରେ ବ୍ୟାପକ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ । ଇ-ଅଫିସ୍ ଦ୍ୱାରା ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା କାର୍ଯ୍ୟାଳୟ, ଅବକାରୀ ଥାନା ଓ ଅବକାରୀ ଉପାୟୁକ୍ତଙ୍କ କାର୍ଯ୍ୟାଳୟ ସହ ତୁରନ୍ତ ଚିଠିର ଆଦାନ ପ୍ରଦାନ ହେବା ସହ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ଭାବେ ହୋଇପାରିବ । ପ୍ରକାଶ ଥାଉକି ଯେ ଇ-ଅଫିସ୍ ଏନଆଇସି ଦ୍ୱାରା ବିକାଶ କରାଯାଇ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଉପଯୋଗ ହେଉଅଛି । ଏହା ଦ୍ୱାରା ପୂର୍ବରୁ ଚାଲି ଆସୁଥିବା ଅଫ୍ ଲାଇନ୍ ବଦଳରେ ସମସ୍ତ କାର୍ଯ୍ୟ ଅନ୍ ଲାଇନ୍ ମାଧ୍ୟମରେ ସ୍ୱଳ୍ପ ସମୟରେ କ୍ଷୀପ୍ର ଗତିରେ ହୋଇପାରିବା ସହ ଜନ ସାଧାରଣଙ୍କ ସେବାରେ ବିନିଯୋଗ ହୋଇପାରିବ । ଏଥିରେ ଅବକାରୀ ଅତିରିକ୍ତ ସଚିବ ସାଇଦତ୍ତବିପ୍ଲବ କେଶରୀ ପ୍ରଧାନ, ଓଡିଶା ପାନୀୟ ନିଗମର ସାଧାରଣ ପରିଚାଳକ ଶୁଭଦର୍ଶୀନୀ ସ୍ୱାଇଁ,ମାନସ ରଞ୍ଜନ ସ୍ୱାଇଁ, ଯୁଗ୍ମ ଅବକାରୀ ଆୟୁକ୍ତ ଦିବ୍ୟଲୋଚନ ମହନ୍ତ, ଉପ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଓ ସି.ଏମ୍. ଜି. ଆଇ ର ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
