ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ଯବାନଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଳକ ଲେଣ୍ଡୋ ପଂଚାୟତ ଅରାଂଚଳ ଗ୍ରାମର ଶହୀଦ ବିଏସଏଫ ଯବାନ ଜୟ ପ୍ରକାଶ ମହାପାତ୍ରଙ୍କ ଶେଷକୃତ୍ୟ ଆଜି ତାଙ୍କ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ୟାଦା ସହ ସଂପୂର୍ଣ୍ଣ ହୋଇଛି। ସୂଚନା ଯୋଗ୍ୟ କି ଜୟ ପ୍ରକାଶ ମେଘାଳୟ ସିଲିଂ ସ୍ଥିତ ୧୯୩ ବିଏସଏଫ ବାଟାଲିଅନରେ ଡ୍ରାଇଭର ଭାବେ କାମ କରୁଥିଲେ। ନୂତନଭାବେ ବଟାଲିୟନରେ ଯୋଗ ଦେଉଥିବା ଯବାନଙ୍କୁ ସେ ଗାଡି ଚଲାଇବା ଟ୍ରେନିଂ ଦେଉଥିଲେ।
ଦୁର୍ଭାଗ୍ୟବସତଃ ଗତ ୧୦ ତାରିଖ ସକାଳେ ଜଣେ ନୂତନ ଯବାନ ଗାଡି ଶିଖି ଚଲାଉଥିବା ବେଳେ ସେହି ଗାଡି ଧକ୍କା ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ ଶରୀର କୁ ମେଘାଳୟ ରୁ ଆସାମ ଦେଇ ଗତକାଲି ସାଢେ ଦଶଟା ରାତିରେ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଇଥିଲା। ପରେ ତାଙ୍କ ପୈତୃକ ଗ୍ରାମ ଅରାଂଚଳକୁ ଅଣାଯାଇଥିଲା। ତାଙ୍କ ମୃତ୍ୟୁରେ ତାଙ୍କ ବଟାଲିୟନ ଓ ଟାଙ୍ଗି ବ୍ଳକ ନିରାକାରପୁର ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ତାଙ୍କ ଗ୍ରାମ ଶ୍ମଶାନରେ ବିଏସଏଫ ଯବାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଲାମି ଦେବାପରେ ଶେଷକୃତ୍ୟ ସଂପୂର୍ଣ୍ଣ କରାଯାଇଥିଲା। ଏହି ସମୟରେ ତାଙ୍କ ସହଧର୍ମିଣୀ, ଏକମାତ୍ର ମାଟ୍ରିକ ପରୀକ୍ଷା ଦେଇଥିବା ଝିଅ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।
