ଅନ୍ୟ ରାଜ୍ୟକୁ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ
ରାୟଗଡ଼ା : ରାୟଗଡ଼ା ଜିଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସଙ୍କୁ ବଡ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୨ ଗିରଫ ।
ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଗୁଡା ଫାଣ୍ଡି ଅଧିନସ୍ଥ ସିମିରି ଵିଶ୍ରାମଗାରରେ କିଛି ବେପାରୀ ଗଞ୍ଜେଇ ଚୋରା ଚାଲାଣ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ପୋଲିସ ଚଢ଼ଉ କରି ୧୬ଟି ବସ୍ତାରେ ଥିବା ୬ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ସିମିରି ଗ୍ରାମର ରେକଡ଼ା ବେଇନା ଓ ଅନ୍ୟ ଜଣେ ମିଲିକାପାଙ୍ଗା ଗାଁର ଟୁନା ଲିମା । ଗଞ୍ଜେଇକୁ ଅନ୍ୟ ରାଜ୍ୟକୁ ଚାଲାଣ ପାଇ ରଖାଯାଇଥିବା ଜଣା ପଡ଼ିଛି । ଗଞ୍ଜେଇକୁ ପଦ୍ମପୁର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୬୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଥିବା ବେଳେ ଏଥିରେ ଆଉ କିଏ ସମ୍ପୃକ୍ତ ଅଛି ସେନେଇ ତନାଘନା ଆରମ୍ଭ କରିଛି ପୋଲିସ ।
