ଭାଷା ଶିକ୍ଷକଙ୍କ ତାଲାବନ୍ଦ ଆନ୍ଦୋଳନ ଆନ୍ଦୋଳନକାରୀଙ୍କୁ ବହୁ ଆଦିବାସୀ ସଂଗଠନର ସମର୍ଥନ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ବିଫଳ ଦାବୀପୁରଣ ନହେଲେ ନଭେମ୍ବର ୧୫ରୁ ନବୀନ ନିବାସ ପଦଯାତ୍ରା
ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ସାନ୍ତାଳି ଓ ମୁଣ୍ଡାରୀ ଭାଷା ଶିକ୍ଷକ ମାନଙ୍କୁ ନିୟମିତ କରିବା ଦାବୀରେ ଚାଲିଥିବା ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ଚିଥିବା ବେଳେ, ପୂର୍ବ ଘୋଷଣା ମୁତାବକ ଆଜି ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ । ସୂଚନା ମୁତାବକ ଆଦିବାସୀ ଅଧ୍ୟୁଷିତ ମୟୂରଭଂଜ ଜିଲ୍ଲାରେ ଜନଜାତି ପିଲାଙ୍କୁ ନିଜ ମାତୃଭାଷା ସାନ୍ତାଳି ଏବଂ ମୁଣ୍ଡାରୀ ଭାଷାରେ ଶିକ୍ଷାଦାନ କରିବା ନିମନ୍ତେ ୨୦୦୭ ମସିହାରେ ରାଜ୍ୟ ସରକାର ୧୦୦ ଜଣ ସାନ୍ତାଳୀ ଏବଂ ୨୦ ଜଣ ମୁଣ୍ଡାରୀ ଭାଷା ଶିକ୍ଷକ ଚୁକ୍ତି ଭିତିକ ଭାବେ ନିଯୁକ୍ତ କରିଥିଲେ କ୍ଷ ଦୀର୍ଘ ୧୫ ବର୍ଷ ଭିତରେ ସେଥିରୁ କିଛି ଶିକ୍ଷକ ମରିହଜି ଯାଇଥିବା ବେଳେ କିଛି ଅବସର ନେଇ ସାରିଲେଣି । ବର୍ତମାନ ଜିଲ୍ଲାରେ ୮୫ଜଣ ସାନ୍ତାଳି ଏବଂ ୪ଜଣ ମୁଣ୍ଡାରୀ ଭାଷା ଶିକ୍ଷକ କାର୍ଯ୍ୟ କରୁଥିବା ବେଳେ, ସେମାନଙ୍କୁ ସରକାର ଏ ପର୍ଯ୍ୟନ୍ତ ନିୟମିତ କରିନାହାନ୍ତି । ସେମାନେ ନିରନ୍ତର ଭାବରେ ଦୀର୍ଘ ୧୫ ବର୍ଷ ଧରି ନିଜ ମାତୃ ଭାଷାରେ ପିଲା ମାନଙ୍କୁ ପାଠ ପଢାଇବା ସହିତ ଅଧାର କାର୍ଡ, କୋଭିଡ କାମ, ନିର୍ବାଚନ ଆଦି ଅନ୍ୟାନ୍ୟ ଅତିରିକ୍ତ ସରକାରୀ ଦାୟୀତ୍ୱ ସାଧାରଣ ଶିକ୍ଷକ ମାନଙ୍କ ଭଳି ତୁଲାଇ ଆସୁଥିଲେ ମଧ୍ୟ ଏମାନଙ୍କୁ ମାସିକ ମାତ୍ର ୩୨ଶହ ଟଙ୍କା ଦରମା ମିଳୁଛି । ଦୀର୍ଘ ବର୍ଷ ଧରି ଏମାନେ ନିୟମିତ କରାଯିବାର ଦାବୀ କରିଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ତେବେ କିଛି ଦିନ ପୂର୍ବରୁ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଚୁକ୍ତି ଭିତିକ ନିଯୁକ୍ତି ଉଚ୍ଛେଦ କଲେ ବୋଲି ଘୋଷଣା କରିଥିଲେ ମଧ୍ୟ ଏହି ଅଳ୍ପ ସଂଖ୍ୟକ ସାନ୍ତାଳୀ ଏବଂ ମୁଣ୍ଡାରୀ ଭାଷା ଶିକ୍ଷକ ମାନଙ୍କୁ ନିୟମିତ ନକରିବା କୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବାର ଦେଖା ଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଏହି ଭାଷା ଶିକ୍ଷକ ମାନଙ୍କର ଆନ୍ଦୋଳନକୁ ସମର୍ଥନ ମିଳୁଥିବା ବେଳେ, ଆଜି ତାଲାବନ୍ଦ କରି ଆନ୍ଦୋଳନ କରିବା ପରେ ନବମ ଦିନରେ ଧାରଣା ସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି ଏବଂ ଜିଲ୍ଲା ଜନଜାତି ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ପହଂଚି ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଥିବାର ସାନ୍ତାଳି ଓ ମୁଣ୍ଡା ଭାଷା ଶିକ୍ଷକ ସଂଘର ସଭାପତି ଗୁଲା ମୁର୍ମୁ, ଉପସଭାପତି ରମାକାନ୍ତ ମାରାଣ୍ଡି, ସମ୍ପାଦକ ମାର୍ଶାଲ ଟୁଡୁ, ସହ ସମ୍ପାଦକ ଜିତେନ୍ଦ୍ର ମହାନ୍ତ ପ୍ରମୁଖ କହିଛନ୍ତି । ଶିକ୍ଷକ ମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜେଏମଏମ, ପେସା ଗ୍ରାମସଭା, ମାସା ଆର୍ମୀ, ମୟୂରଭଂଜ ମୁକ୍ତି ମୋର୍ଚ୍ଚା, ଭଂଜସେନା ଆଦିବାସୀ ସେଲ, ନିଖିଳ ଓଡିଶା ସାନ୍ତାଳି ଅବିଭାବକ କ୍ରିୟାନୁଷ୍ଠାନ କମିଟି, ଆସେକା ରାଇରଙ୍ଗପୁର, ଭାରତ ଜାକାତ ମାଝି ପାର୍ଗାନା ମହଲ, ଆଦିବାସୀ ଅଧିକାର ମଂଚ, ଭାରତ ମୁଣ୍ଡା ସମାଜ ପ୍ରମୁଖ ଅନୁଷ୍ଠାନ ସହ ବହୁ ସାନ୍ତାଳି ଗ୍ରାମ ମୁଖିଆ ମାନେ ଏବଂ ମୟୁରଭଞ୍ଜର ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ବିଜେପି ଆଦିବାସୀ ସେଲର ଫାଗୁ ହାଁସଦା, ବଡପଥରା ସରପଞ୍ଚ ମଙ୍ଗଲ ଚରଣ ମୁର୍ମୁ ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ତେବେ ଏହି ଭାଷା ଶିକ୍ଷକ ମାନେ ୯ଦିନଧରି ଦିବାରାତ୍ର ଧାରଣାରେ ବସିବା ସହିତ ତାଲାବନ୍ଦ ଆନ୍ଦୋଳନ କରୁଥିଲେ ମଧ୍ୟ ନିଜର ଦରମା ଏବଂ ଭତା ବୃଦ୍ଧି ପାଇଁ ବିଧାନ ସଭାରେ ସୁପାରିଶ କରୁଥିବା ଜିଲ୍ଲାର ଶାସକ ବା ବିରୋଧୀ ଦଳର କୌଣଷି ବିଧାୟକ ବା ଜନପ୍ରତିନିଧି ସାଂସଦ, ମନ୍ତ୍ରୀ ମାନେ ଘଟଣାରେ ପ୍ରତିକ୍ରିୟା ପ୍ରକାଶ ନରିବା ବେଶ ଦୁଖଃ ଦାୟକ ବୋଲି କହିଛନ୍ତି । ପୂର୍ବରୁ ବାରିପଦା ବିଧାୟକ ପ୍ରକାଶ ସୋରେନ ଏହି ଭାଷା ଶିକ୍ଷକ ମାନଙ୍କର ଦାବୀ ଥରେ ବିଧାନ ସଭାରେ ଉପସ୍ଥାପନ କରିଥିଲେ ମଧ୍ୟ କୌଣଷି ସନ୍ତୋଷ ଜନକ ଉତର ମିଳିପାରି ନଥିବା ଜଣାଯାଇଛି । ତେବେ ଯଦି ସରକାର ଏହି ଭାଷା ଶିକ୍ଷକ ମାନଙ୍କର ଦାବୀ ନଶୁଣନ୍ତି ତେବେ ଆଗାମୀ ନଭେମ୍ବର ୧୫ ତାରିଖରେ ଶିକ୍ଷକ ମାନେ ପଦଯାତ୍ରାରେ ନବୀନ ନିବାସ ଯିବା ସହିତ କର ବା ମର ନିତୀ ଆପଣାଇବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।
