ଜାଗର ପାଇଁ ଚଳ ଚଞ୍ଚଳ ଲଙ୍ଗଳେଶ୍ୱର ଶୈବପୀଠ
ବାଲିଆପାଳ : ପବିତ୍ର ମହାଶିବ ରାତ୍ରୀ ଉପଲକ୍ଷେ ବାଲେଶ୍ୱର ଜିଲାର ସର୍ବ ପୁରାତନ ବାବା ଲଙ୍ଗଳେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗିଛି । ବାବା ଲଙ୍ଗଳେଶ୍ୱରଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଆସିଛନ୍ତି । ଏହି ପୂରାତନ ଶୈବପୀଠର ଅନେକ ପୌରାଣିକ କିମ୍ବଦନ୍ତୀ ରହିଥିବା ବେଳେ ଏହାର ମାହାତ୍ମ୍ୟ ସ୍ୱତନ୍ତ୍ର ରହିଛି । ଏଠାରେ ମହାଦେବଙ୍କ ମନ୍ଦିର ସମ୍ମୁଖରେ ମାତା ପାର୍ବତୀଙ୍କ ମନ୍ଦିର ବିଦ୍ୟମାନ । ମହାଦେବଙ୍କ ଶକ୍ତି ଏଠାରେ ସ୍ପଷ୍ଟ ବାରି ହୋଇ ପଡୁଥିବା ବେଳେ ଜ୍ୟୋତିର୍ଲିଙ୍ଗ ଭୂତଳଗାମୀ ହୋଇଯାଇଛି । କୌଣସି ବ୍ୟାଧିଗ୍ରସ୍ତ ଲୋକ ଯଦି ଲଙ୍ଗଳେଶ୍ୱର ମହାଦେବଙ୍କ ଠାରେ ଅଧିଆ ପଡ଼ିବା ସହିତ ମହାଦେବଙ୍କ ପାଦୁକା ସେବନ କରନ୍ତି ତାହାଲେ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ଗତ ଦୁଇ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଜାଗର ଯାତ୍ରା ବନ୍ଦ ରହିଥିଲା । ଚଳିତବର୍ଷ କଟକଣା କୋହଳ ହୋଇଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟେରେ ଉତ୍ସାହ ଦେଖାଦେଇଛି । ଶାନ୍ତି ଶୃଙ୍ଖଳା ଏବଂ ସୁରୁଖୁରୁରେ ପୂଜାର୍ଚ୍ଚନା ପାଇଁ ମନ୍ଦିର କମିଟି ଏବଂ ବାଲିଆପାଳ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରା ଯାଇଛି ବୋଲି ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଏବଂ ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା ସୂଚନା ଦେଇଛନ୍ତି ।
