କେରଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୮ ମୃତ
ଇଡୁକି : କେରଳର ଦକ୍ଷିଣ ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା । ଫଳରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଥିଯୋଗୁଁ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ଦେଶର ଏହି ଦକ୍ଷିଣ ରାଜ୍ୟରେ ବର୍ଷା ଜନିତ ଘଟଣା ଯୋଗୁଁ କିଛି ଲୋକ ଆହତ ହେବା ସହ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି । ରାଜ୍ୟର ଅଧିକାଂଶ ଡ୍ୟାମ୍ ପାଣି କ୍ଷମତା ଠାରୁ ଅଧିକ ରହିଛି । ଭୂସ୍ଖଳନ ହେତୁ ପାର୍ବତ୍ୟର ଅନେକ ଛୋଟ ସହର ଓ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବର୍ଷା ହେତୁ ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ଲୋଡିଛନ୍ତି ।
#WATCH | Kerala: NDRF team conducts rescue operation in Kokkayar, Idukki where landslide occurred yesterday pic.twitter.com/icTNMxsGhV
— ANI (@ANI) October 17, 2021
ତେବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି । ଏହି ଦାବି ସତ୍ତ୍ୱେ ବନ୍ୟା ଏବଂ ଖରାପ ପାଗ ଯୋଗୁଁ ରାଜ୍ୟ ପୋଲିସ ଏବଂ ଅଗ୍ନିଶମ ବିଭାଗର ରିଲିଫ୍ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚିପାରିନି । ପାଣିପାଗ ବିଭାଗ ଅନୁଯାୟୀ ୨୪ ଘଣ୍ଟାରେ ବି ବର୍ଷା ହେବ । କିନ୍ତୁ ପୂର୍ବ ଅପେକ୍ଷା ଏହା କମ୍ ହେବ । ପରିସ୍ଥିତି ଗୁରୁତର ବୋଲି କେରଳର ମୁଖ୍ୟମନ୍ତ୍ରୀ ବିଜୟ ପିନାରାଇ କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନର ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ବର୍ତ୍ତମାନ ପରିସ୍ଥିତି ଅଧିକ ଖରାପ ହେବ ନାହିଁ । ସେନା, ବାୟୁସେନା ଏବଂ ନୌସେନା କର୍ମଚାରୀମାନେ କୋଟାୟାମର କୁଟିକାଲ ଏବଂ ଇଡୁକିର ପେରୁଭାନାଥନମ୍ ପାହାଡ ଗ୍ରାମରେ ପହଞ୍ଚିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ସେଠାରେ ବନ୍ୟାର ହେତୁ ଅନେକ ଘର ଭାଙ୍ଗିଯାଇଛି । ଫଳରେ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି ।
