କିନୌରରେ ଭୂସ୍ଖଳନ : ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ୩୦ ନିଖୋଜ
ଶିମଲା : ହିମାଚଳ ପ୍ରଦେଶ କିନୌର ଜିଲ୍ଲା ନିଚାର ତହସିଲ ଅନ୍ତର୍ଗତ ନିଗଲସୁରୀ ରେ ୫ ନଂ ଜାତୀୟ ରାଜପଥ ଉପରେ ଭୂସ୍ଖଳନ ।ବୁଧବାର ଦିନ ପ୍ରାୟ ୧୨ ଟା ସମୟରେ କିନୌର ଜିଲ୍ଲା ଭାବାନଗର ଥାନା ଅଂଚଳରେ ଘଟିଛି ଏଭଳି ଏକ ବଡ଼ ଧରଣର ଅଘଟଣ । ପାହାଡ଼ରୁ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡିଥିଲା । ହିମାଚଳ ପଥ ପରିବହନ ନିଗମ (ଏଚଆରଟିସି)ର ଏକ ବସ୍ ସହିତ ଅନ୍ୟ ଏକ ଏକ ଟ୍ରକ୍ ଓ କାର୍ ଏହା ତଳେ ରହିଯାଇଥିଲା । ଏଚଆରଟିସିର କିନୌର-ହରିଦ୍ୱାର ରୁଟ୍ ରେ ଯାଉଥିବା ଏହି ବସ୍ ରେ କେତେକ ଯାତ୍ରୀ ସବାର ଥିଲେ । ମୃତ୍ୟୁସଂଖ୍ୟା ୧୧ ରେ ପହଞ୍ଚିଛି ଓ ପ୍ରାୟ ୩୦ ଜଣ ନିଖୋଜ ଅଛନ୍ତି ।
ଲୋକମାନଙ୍କୁ ଉଦ୍ଧାର କରିବାକୁ ଇଣ୍ଡୋ-ତିବ୍ବତିଆନ ବର୍ଡର ପୁଲିସର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଭୂ-ସ୍ଖଳନ ଯୋଗୁଁ ଖସିଥିବା ମାଟିରେ ଏକ ଯାତ୍ରୀବାହୀ ବସ ସମେତ ଆଉ କେତେକ ଗାଡ଼ି ଫସି ରହିଥିବା ଜଣାଯାଇଛି । ମାଟିତଳେ ୨୫ରୁ ୩୦ ଜଣ ଯାତ୍ରୀ ପୋତି ହୋଇରହିଥିବା କୁହାଯାଉଛି । ସେମାନଙ୍କ ଉଦ୍ଧାର ପାଇଁ ଆଇଟିବିପି ଓ ଏନଡିଆରଏଫର ଯବାନମାନେ ଉଦ୍ୟମ କରୁଛନ୍ତି । ବସ୍ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କିନ୍ନୌରରୁ ହରିଦ୍ୱାର ଯାଉଥିଲା। ଭୂସ୍ଖଳନ ହେତୁ ବସ୍ରେ ପଥର ଖଣ୍ଡ ମାଡ଼ ହେବା ପରେ ଏହା ସଂପୂର୍ଣ୍ଣ ଭାବେ ମାଟି ତଳେ ପୋତି ହୋଇ ଯାଇଛି । କେବଳ ଏତିକି ନୁହେଁ ଏହି ଭୂସ୍ଖଳନ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏକାଧିକ କାର୍ ମଧ୍ୟ ମାଟି ଅତଡ଼ା ତଳେ ଫସି ଯାଇଛି। ଭୂସ୍ଖଳନ ହୋଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ସମେତ ଅନ୍ୟ ଅଧିକାରୀ ପହଞ୍ଚିଛନ୍ତି। ସ୍ଥାନୀୟଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହିତ ଫୋନ୍ ଯୋଗେ କଥା ହେବା ସହ ଦୁର୍ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଦେଶ ସରକାରଙ୍କୁ ଏନଡିଆରଏଫ ଟିମ୍ ଓ ଅନ୍ୟ ଉଦ୍ଧାର ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।



