ଲଖିମ୍ପୁର ଖେରି ମାମଲା: ‘ଏସ୍ଆଇଟି’ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ : ଲଖିମ୍ପୁର ଖେରି ମାମଲାରେ ଉତର ପ୍ରଦେଶ ପୁଲିସ କରୁଥିବା ତଦନ୍ତ ବେଗ ଉପରେ ସୋମବାର ଦିନ ସୁପ୍ରିମ୍କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କଦ୍ୱାରା ‘ଏସ୍ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପାରିସ କରିଛନ୍ତି । ଶୀର୍ଷ ଅଦାଲତର ପ୍ରଧାନ ବିଚାରପତି ଏନ୍. ଭି. ରମନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଲେ, ଏହି ଘଟଣାର ‘ସିବିଆଇ’ ତଦନ୍ତ କରାଯିବ ନାହିଁ । ‘ସିବିଆଇ’ ସବୁ ସମସ୍ୟାର ସମାଧାନ ନୁହେଁ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର ତଦନ୍ତ କରାଇବା ସହ ପୃଥକ୍ ଚାର୍ଜସିଟ୍ ଦାଖଲ କରନ୍ତୁ ବୋଲି ଆମେ ଚାହୁଁଛୁ । ସଂଗୃହୀତ ପ୍ରମାଣ ସବୁ ସୁରକ୍ଷିତ ରଖାଯାଉ ବୋଲି ମଧ୍ୟ ଆମେ ଚାହୁଁଛୁ ।
ଅକ୍ଟୋବର ୩ ତାରିଖ ଦିନ ଘଟିଥିବା ଉକ୍ତ ଘଟଣା ଉପରେ ସୁପ୍ରିମ୍କୋର୍ଟ ସୋମବାର ଶୁଣାଣି କରୁଥିଲେ । କୃଷକ ପ୍ରତିବାଦ ଚାଲିଥିବା ବେଳେ ହିଂସାକାଣ୍ଡ ଘଟି ସେଦିନ ୪ଜଣ କୃଷକଙ୍କ ସମେତ ୮ଜଣଙ୍କର ମୃତ୍ୟୁ ଘଟିଥିଲା । ଉତର ପ୍ରଦେଶ ପ୍ରମାଣ ରେକର୍ଡ ପାଇଁ ଉତର ପ୍ରଦେଶ ‘ଏସ୍ଆଇଟି’ ଅବଲମ୍ବନ କରିଥିବା ଉପାୟ ଉପରେ ଭରସା ନ ଥିବା କଥା ମଧ୍ୟ ସୁପ୍ରିମ୍କୋର୍ଟ କହିଛନ୍ତି । ସୁପ୍ରିମ୍କୋର୍ଟ କହିଛନ୍ତି, ପ୍ରତିବାଦରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଯିବା ଏବଂ ଅଭିଯୁକ୍ତଙ୍କୁ ପିଟି ପିଟି ମାରିବା ଘଟଣାର ଯଥାର୍ଥ ତଦନ୍ତ କରାଯିବା ଉଚିତ ।
