ଲଖିମପୁର ଖେରୀ ମାମଲା: ଆଶିଷ ମିଶ୍ରାଙ୍କ ଜାମିନ ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ପିଟିସନ୍
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ପ୍ରଦାନ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାବି କରାଯାଇଛି । ପାଖାପାଖି ୪ ମାସ ଜେଲରେ ଥିବା ଆଶିଷ ମିଶ୍ରାଙ୍କୁ ଜାମିନରେ ମୁକ୍ତ କରାଯାଇଛି । ପିଟିସନର ଓକିଲ ଶିବ କୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡା ସୁପ୍ରିମକୋର୍ଟରେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିସ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଆବେଦନ କରିଛନ୍ତି ।
ସେମାନେ ଆବେଦନରେ କହିଛନ୍ତି ବାହାରେ ବୁଲୁଥିବା ଅଭିଯୁକ୍ତ ପ୍ରମାଣକୁ ଟାମ୍ପରିଂ କରିବାର ସମ୍ଭାବନା ରହିଛି । ସେମାନେ ଆହୁରି ମଧ୍ୟ କହିଛନ୍ତି ସାକ୍ଷୀ, କୃଷକ ଏବଂ ପୀଡିତଙ୍କ ପରିବାର ବିପଦରେ ଅଛନ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଅନୁମାନ ଉପରେ ଆଧାରିତ । ତେଣୁ ତୁରନ୍ତ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଏସଆଇଟିକୁ କୁହାଯିବା ଉଚିତ ବୋଲି ସେମାନେ ଦାବି କରିଛନ୍ତି ଜ୍ଝ ପୀଡିତମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ୟୁପି ବା କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯିବାକୁ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
