ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ର ଅବହେଳିତ, ବିକାଶ ପାଇଁ ଦାବି
କେନ୍ଦୁଝର : ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରକୁ ଅବହେଳା କରାଯାଉଥିବା ନେଇ ସ୍ଥାନୀୟ ଅଧିବାସୀମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବଂଶପାଳ ବ୍ଲକ ଅନ୍ତର୍ଗତ ଡଙ୍ଗା ପାଣି, କଣ୍ଟା କୋଳି, ମେଦିନୀପୁର, ଭେଜିଡିହି ଗ୍ରାମର ଅଧିବାସୀମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ଏହି ସ୍ଥାନ ଭ୍ରମଣ କରିବାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସିଥିଲେ ହେଁ ଏନ୍ଏଚ୍ ୪୯(ଅଂଜର)ରୁ ବଡ଼ ଘାଗରାକୁ ଯାଇଥିବା ରାସ୍ତାର ଦୁରବସ୍ଥା ଯୋଗୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଣ ଜଙ୍ଗଲ ପରିବେଷ୍ଟିତ ଏହି ଅଞ୍ଚଳରେ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ରହିଛି । ଏଣୁ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରିବାକୁ ପଡୁଛି । ସେହିପରି ଡ୍ୟାମକୁ ଯିବା ପାଇଁ ଅନ୍ୟ ଏକ ଏନ୍ଏଚ୍ ୪୯ରୁ ଡଙ୍ଗାପାଣି ଗ୍ରାମ ରାସ୍ତା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ନିକଟରେ ଥିବା ସାନ ଘାଗରା କେନ୍ଦ୍ରର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାକୁ ଅଣଦେଖା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବଡ଼ଘାଗରା ଜଳ ପ୍ରପାତ ରହିଥିବା ବେଳେ ଡ୍ୟାମ୍ ତଥା ପାହାଡ଼ ଜଙ୍ଗଲ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସେହିପରି ଏଠାରେ ରହିଛି ଏକ ଶିବ ମନ୍ଦିର । ଏହା ନିକଟରେ ରହିଛି ପ୍ରଥମ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଅନ୍ୟତମ ଆକର୍ଷଣ, ରକ୍ଷଣାବେକ୍ଷଣ ଅଭାବରୁ ଯାହାକି ଦୀର୍ଘବର୍ଷ ହେଲା ଅଚଳ ହୋଇପଡ଼ିଛି । ଏହା ଛଡ଼ା ଏଠାରେ ବର୍ଷା ଓ ଖରା ଦିନରେ ଆଶ୍ରୟ ନେବାକୁ ବିଶ୍ରାମ ଗୃହ ନାହିଁ କିମ୍ବା ଆଲୋକ ବ୍ୟବସ୍ଥା ନାହିଁ । ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ, ଖାଦ୍ୟ ଆଦି ବ୍ୟବସ୍ଥା ମଧ୍ୟ ନାହିଁ । ପିକ୍ନିକ୍ ଋତୁରେ ରାଜ୍ୟର ବିଭିନ୍ନ ଅଂଚଳରୁ ଲୋକ ଆସିଥାନ୍ତି କିନ୍ତୁ ସୁବ୍ୟବସ୍ଥା ନ ଥିବାରୁ ନିରାଶ ହୋଇ ଫେରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏଣୁ ଏ ସବୁର ସମାଧାନ କରିବାକୁ ଦାବି କରିଛନ୍ତି । ବାବା ରାମେଶ୍ୱର ମନ୍ଦିର ଟ୍ରଷ୍ଟ ଧରଣୀର ସଭାପତି ଧର ପରିହାଳଙ୍କ ନେତୃତ୍ୱରେ ଗ୍ରାମବାସୀ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।
