ଆଜିଠୁ ଖୋଲିବ କୁଳଡିହା ଅଭୟାରଣ୍ୟ, ପର୍ଯ୍ୟଟକଙ୍କୁ କରାଯିବ ସ୍ୱାଗତ
ନୀଳଗିରି : ଆଜିଠୁ ଖୋଲିବ କୁଳଡିହା ଅଭୟାରଣ୍ୟ । ଏନେଇ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନେଚର୍ସ କ୍ୟାମ୍ପ । ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଦୀର୍ଘମାସ ପରେ ପୁଣି ଚଳଚଞ୍ଚଳ ହୋଇଉଠିବ ।
ଆଜି ଠାରୁ ଏହା ଖୋଲୁଥିବା ବେଳେ ଚଳିତ ବର୍ଷ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ପୁଣି ଦେଖିବାକୁ ପାଇବେ ପର୍ଯ୍ୟଟକ। ଅଭୟାରଣ୍ୟରେ ହାତୀ, ହରିଣ, ସମ୍ବର,ଗୟଳ,ଠେକୁଆ,ବେଲରା ମୂଷା, ନୀଳଗାଈ, ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। ସେହିପରି ଗୋହିରାଭୋଳ ଠାରେ ନ୍ୟାଚରର୍ସକ୍ୟାମ୍ପ ରହିଛି। ତମ୍ବୁ ଘରେ ରହିବାର ବ୍ୟବସ୍ଥା ଥିବା ବେଳେ ଏଥିପାଇଁ ଅନଲାଇନରେ ବୁକିଂ କରିବା ବ୍ୟବସ୍ଥା ରହିଛି। ଖାଲି ସେତିକି ନୁହେଁ ଋଷିଆ ଡ୍ୟାମରେ ଥିବା ଝରଣାରେ ବୋଟିଂ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଚେମଚଟା ଠାରେ ଘାସ ବଗିଚା ହୋଇଥିବା ବେଳେ ସେଠାରେ ବ୍ୟାପକ ପରିମାଣରେ ହରିଣ ଆସୁଥିବାରୁ ଏହି ସ୍ଥାନକୁ ମଧ୍ୟ ପର୍ଯ୍ୟଟକ ମାନେ ବୁଲିବାର ମଜା ଉଠାଇବେ। ଓ୍ୱାଚ ଟାଓ୍ୱାରରୁ ରହି ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଖିବାର ସୁଯୋଗ ମିଳିବ । ଏନେଇ ବନ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ଖୋଲିବାର ପ୍ରଥମ ଦିବସରେ ସ୍ୱାଗତ ପାଇଁ ବ୍ୟବସ୍ଥା ହୋଇଛି। ସୂଚନା ଯେ, ଗତ ଜୁନ ମାସ ଠାରୁ ବର୍ଷା ଋତୁ କାରଣରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିଥିଲା।
