ଗଜରାଜଙ୍କ ପାଇଁ ସଙ୍କଟ ପାଲଟିଛି କୁଲଡ଼ିହା ଅଭୟାରଣ୍ୟ, ଆଂଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇ ବୁଲୁଛି ଦନ୍ତା
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ଏବେ ଗଜରାଜଙ୍କ ପାଇଁ ସଙ୍କଟ ପାଲଟିଛି । ଗତ ସୋମବାର ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଏକ ଦନ୍ତା ହାତୀ ଅସୁସ୍ଥ ଥିବାର ଦେଖିବାକୁ ମିଳିଛି । ଦନ୍ତାଟି ଆଂଥ୍ରାକ୍ସ ରୋଗରେ ଆକ୍ରାନ୍ତ ଥିବାର ଜଣାପଡ଼ିଛି । ସେହିପରି ଇତି ମଧ୍ୟରେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ୭ଟି ହାତୀର ମୃତ୍ୟୁ ହୋଇ ସାରିଲାଣି ।
କୁଲଡ଼ିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀର ଅସୁସ୍ଥତାକୁ ନେଇ ବନବିଭାଗର ଚିନ୍ତା ବଢ଼ିଛି । ଦନ୍ତା ହାତୀଟିର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରାଯାଉଛି । ହାତିଟିକୁ କୁଲଡିହା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ତତ୍ୱାବଧାନରେ ପଞ୍ଚଲିଙ୍ଗେଶ୍ୱର ନିକଟ ଖୁମକୁଟ ପାଖରେ ପ୍ରାଣୀଚିକିତ୍ସକ ଡା. ମୁକ୍ତିକାନ୍ତ ସେଠୀଙ୍କ ଦ୍ୱାରା ଚିକିତ୍ସା ଚାଲିଥିବାର ସୂଚନା ଦେଇଛନ୍ତି ରେଞ୍ଜର ଶ୍ରୀ ଜେନା । ଦନ୍ତା ହାତୀର ଅସୁସ୍ଥ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆଂଥ୍ରାକ୍ସ ରୋଗ ବୋଲି ଅନୁମାନ କରୁଛନ୍ତି ରେଞ୍ଜର ଶ୍ରୀ ଜେନା । ତେବେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ୬ଟି ହାତୀର ମୃତ୍ୟୁ ହୋଇ ସାରିଲାଣି । ହାତୀ ମୃତ୍ୟୁ ଘଟଣା ବନାଞ୍ଚଳବାସୀଙ୍କୁ ବ୍ୟଥିତ କରୁଛି ।
ସୂଚନା ଯେ, କୁଲଡ଼ିହା ଅଭୟାରଣ୍ୟରେ ଗତ ୨୦୨୨ ଜାନୁଆରୀ ୧୫ରେ କୁଲଡ଼ିହା ଅଭୟାରଣ୍ୟ ଅଧୀନ ମଙ୍ଗଳପୁର ବିଟ୍ ହାତୀକୁଲିଆ ସେକ୍ସନ ଅଞ୍ଚଳରୁ ଏକ ମାଈ ହାତୀର ଗଳିତ ମୃତଦେହ ମିଳିଥିଲା । ସେହିପରି ମାର୍ଚ୍ଚ ୨୦ରେ ତେଣ୍ଡା ସଂରକ୍ଷିତ ଜଙ୍ଗଲ ଗୁହାଳିଆ ନିକଟରୁ ଏକ ମାଈ ହାତୀ, ଜୁଲାଇ ୧୮ରେ ନୀଳଗିରି ଉପଖଣ୍ଡ ନରଣପୁର ପଞ୍ଚାୟତ ବାରାଗଡ଼ିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରୁ ଏକ ଦନ୍ତା ହାତୀ, ଜୁଲାଇ ୨୭ରେ ଚେମଚଟା ଜଙ୍ଗଲରୁ ଏକ ହାତୀଛୁଆ, ଡିସେମ୍ବର ୧୦ରେ କୁଲଡ଼ିହା ଅଭୟାରଣ୍ୟ ବାବନ୍ଧ ଫରେଷ୍ଟ ବିଟ୍ ଅଧୀନ ସିଆଡ଼ିମାଳ ପଞ୍ଚାୟତ କଦମଶୋଳ ଠାରେ ଏକ ମାଈ ହାତୀ, ଫେବୃୟାରୀ ୨୭ରେ କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ୍ ନିକଟ ବଡମ୍ବା ଠାକୁରାଣୀ ନିକଟ ଜଙ୍ଗଲ ଭିତରେ ଏକ ୪ ବର୍ଷର ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଅଭୟାରଣ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ହାତୀ ଥିବାବେଳେ ୧୪ ମାସରେ ୬ଟି ହାତୀର ମୃତ୍ୟୁ ଘଟଣାରେ ହାତୀ ବଂଶ ଲୋପ ପାଉଥିବାରୁ ପରିବେଶବିତ୍, ପ୍ରକୃତିପ୍ରେମୀ ଓ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ବନବିଭାଗର ନିଦ ହଜାଇ ଦେଇଛି । ସ୍ଥାନୀୟ ଲୋକେ ବନବିଭାଗର ଅପାରଗତାକୁ ପ୍ରଶ୍ନ କରିଛନ୍ତି ।
