ସମାଧାନ ହେବ କୋଟିଆ ସମସ୍ୟା : ଗଠନ ହେଲା ଉଚ୍ଚସ୍ତରୀୟ କମିଟି
ଭୁବନେଶ୍ୱର : ସମାଧାନ ହେବ କୋଟିଆ ସମସ୍ୟା । ଦ୍ବିପାକ୍ଷିକ ବୁଝାମଣାରେ ତୁଟିବ ଓଡିଶା-ଆନ୍ଧ୍ର କୋଟିଆ ବିବାଦ । ଏନେଇ ବୁଧବାର ରାଜ୍ୟ ସରକାର ଗଠନ କରିଛନ୍ତି ଏକ ଉଚ୍ଚସ୍ତରୀୟ କମିଟି। ଓଡିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିଭିନ୍ନ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତୁରନ୍ତ ଏହାର ସମାଧାନ ଲାଗି ଉଭୟ ରାଜ୍ୟ ସହମତି ପ୍ରକାଶ କରିଥିଲେ । ଏ ନେଇ ଏକ ଉଚ୍ଚ ସଚିବସ୍ତରୀୟ ୮ ଜଣିଆ କମିଟି ଗଠନ କରିବା ଲାଗି ଓଡିଶା ସରକାର ଘୋଷଣା କରିଥିଲେ । ତେବେ ଆଜି ଏହି କମିଟି ବିଧିବଦ୍ଧ ଭାବେ ଗଠନ କରାଯାଇଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଟିର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟ ଶାସନ ସଚିବ । ସଦସ୍ୟ ଭାବେ ଉନ୍ନୟନ କମିଶନର, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ, ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଏତତ ବ୍ୟତୀତ ଉଭୟ ରାଜ୍ୟର କମିଟି ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦ ଓ ସମସ୍ୟା ସମ୍ପର୍କରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିବେ । ଏଥିପାଇଁ ଚଳିଚ ମାସ ୯ ତାରିଖରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହାସହ ଉଭୟ ମୁଖ୍ୟମନ୍ତ୍ରୀ ବୈଠକ ପରେ ଏକ ମିଳିତ ପ୍ରେସ ବିବୃତ୍ତି ଜାରି କରିଥିଲେ। ସେହି ସମୟରେ ଏହି କମିଟି ଗଠନ ସମ୍ପର୍କରେ ଘୋଷଣା ହୋଇଥିଲା ।
