ବାଙ୍ଗାଲୋରକୁ ୧୨୯ ରନ୍ର ଟାର୍ଗେଟ୍ ଦେଲା କୋଲକାତା
ମୁମ୍ବାଇ: ମୁମ୍ଵାଇ : ଆଇପିଏଲ-୨୦୨୨ରେ ବୁଧବାର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ ରାଇଡ଼ର୍ସ (କେକଆର) ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । ଏଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ନେତୃତ୍ଵାଧୀନ କୋଲକାତା ୧୮.୫ ଓଭର୍ରେ ମାତ୍ର ୧୨୮ ରନ୍ରେ ଅଲଆଉଟ ହୋଇଛି । ଫଳରେ ବାଙ୍ଗାଲୋକୁ ଜିତିବା ପାଇଁ ୧୨୯ ରନ୍ର ଟାର୍ଗେଟ ମିଳିଛି ।
ହସରଙ୍ଗା ୪ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେ ମାତ୍ର ୧୧ ରନ୍ରେ ୨ଟି ସଫଳତା ପାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହର୍ଷଲ ନିଜର ପ୍ରଥମ ୨ ଓଭର୍ରେ କୌଣସି ରନ୍ ନ ଦେଇ ୨ଟି ୱିକେଟ ହାସଲ କରିଥିଲେ । ସମ୍ଭବତଃ ଆଇପିଏଲ ଇତିହାସରେ ଏହା ପ୍ରଥମ ଘଟଣା । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଟସ୍ ଜିତି ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ । ଆରମ୍ଭରୁ କୋଲକାତାର ଦୁଇ ଓପନର ଭେଙ୍କଟେଶ ଆୟର ଓ ଅଜିଙ୍କ୍ୟ ରାହାଣେ ବେଶ ସତର୍କତାର ସହ ଖେଳିଥିଲେ । ତେବେ ଆକାଶ ଦୀପ ୧୦ ରନ୍ କରିଥିବା ଆୟରଙ୍କୁ ଆଉଟ କରି ଆରସିବିକୁ ୪ର୍ଥ ଓଭରରେ ପ୍ରଥମ ସଫଳତା ଦେଇଥିଲେ । ଏହାପରେ କୋଲକାତା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରାହାଣେ (୯)ଙ୍କୁ ମହମ୍ମଦ ସିରାଜ ଓ ନୀତୀଶ ରାଣା(୧୦)ଙ୍କୁ ଆକାଶ ଦୀପ ଆଉଟ କରି କୋଲକାତାକୁ ଡବଲ ଝଟକା ଦେଇଥିଲେ । ଏହି ଠାରୁ ଆରମ୍ଭ ହୋଇଥିବା ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କ ଜଲୱା । ହସରଙ୍ଗା ପ୍ରଥମେ ଇନଫର୍ମ ଶ୍ରେୟସ ଆୟର(୧୩)ଙ୍କୁ ଆଉଟ କରିଥିଲେ । ସୁନୀଲ ନାରିନ(୧୨) ତାଙ୍କ ଦ୍ୱିତୀୟ ଶିକାର ବନିଥିଲେ । ତୃତୀୟ ୱିକେଟ ରୂପେ ହସରଙ୍ଗା ଯୁବ ତାରକା ଶେଲଡନ ଜ୍ୟାକସନଙ୍କୁ ପ୍ୟାଭିଲିୟନ ପଠାଇଥିଲେ ।
କୋଲକାତା ମଧ୍ୟ ୬୭ ରନ୍ରେ ୬ ୱିକେଟ ହରାଇ ସଂଘର୍ଷ ଆରମ୍ଭ କରିଥିଲା । ସାମ ବିଲିଙ୍ଗସ ଓ ଆନ୍ଦ୍ରେ ରସେଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ହର୍ଷଲ ପଟେଲ ଏହା କରିବାକୁ ଦେଇ ନଥିଲେ । ସେ ଦଳୀୟ ସ୍କୋର ୮୩ ଥିବା ବେଳେ ୧୪ ରନ କରିଥିବା ବିଲିଙ୍ଗସଙ୍କ ୱିକେଟ ନେଇଥିଲେ । ପରେ ୧୮ ବଲରେ ୨୫ ରନ୍ କରିଥିବା ରସେଲ ମଧ୍ୟ ହର୍ଷଲଙ୍କ ଶିକାର ବନିଥିଲେ । ଟିମ୍ ସାଉଦି (୧)ଙ୍କୁ ଆଉଟ କରି ହସରଙ୍ଗା ମ୍ୟାଚରେ ନିଜର ୪ର୍ଥ ସଫଳତା ହାସଲ କରିଥିଲେ । ସେ ମୋଟ ୪ ଓଭର୍ରେ ୨୦ ରନ୍ ଦେଇ ୪ ସଫଳତା ପାଇଛନ୍ତି । ଶେଷ ଭାଗରେ ଉମେଶ ଯାଦବ ଓ ବରୁଣ ଚକ୍ରବର୍ତୀ କିଛି ଶଟ ଖେଳିବାରୁ କୋଲକାତା ୧୨୮ ରନ୍ କରିବାକୁ ସକ୍ଷମ ହୋଇଛି । ଆକାଶ ଦୀପ ୧୮ ରନ୍ କରିଥିବା ଉମେଶ ଯାଦବଙ୍କୁ ବୋଲ୍ଡ କରି କୋଲକାତା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ବରୁଣ ୧୦ ରନ୍ କରି ଅପରାଜିତ ରହିଛନ୍ତି ।ଆରସିବି ପକ୍ଷରୁ ହସରଙ୍ଗା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଆକାଶ ଦୀପ ୩ଟି, ହର୍ଷଲ ପଟେଲ ୨ଟି ଓ ମହମ୍ମଦ ସିରାଜ ଗୋଟିଏ ସଫଳତା ପାଇଛନ୍ତି ।
