କୋହଲି ଜଣେ ବିଫଳ ଅଧିନାୟକ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଭେଟେରାନ୍ ଖେଳାଳି ବିରାଟ କୋହଲି ଟି-୨୦ ମ୍ୟାଚରେ ଅଧିନାୟକ ଭାବେ ନିଜର ଶେଷ ଟୁର୍ଣ୍ଣାମେଂଟ ଖେଳୁଛନ୍ତି । ଆଇପିଏଲ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମର ଅଧିନାୟକ ଦାୟିତ୍ୱ ଛାଡିବା ସହ ଏବେ ଜାରି ରହିଥିବା ଟି ୨୦ ବିଶ୍ୱକପ ପରେ ଏହି ଫଟାଫଟ ଟୁର୍ଣ୍ଣାମେଂଟର ଅଧିନାୟକ ଭାର ଛାଡିବାକୁ ଘୋଷଣା କରିସାରିଛନ୍ତି କୋହଲି । ଅଧିନାୟକ ଭାବେ ବର୍ତମାନ ସୁଦ୍ଧା ଆଇସିସିର ଗୋଟିଏ ବି ଟାଇଟଲ ହାସଲ କରିପାରି ନାହାନ୍ତି କୋହଲି । କେବଳ ସେତିକି ନୁହେଁ ଆଇପିଏଲ ଟ୍ରଫି ମଧ୍ୟ ଗୋଟିଏ ବି ହାତେଇ ପାରିନାହାନ୍ତି ବିରାଟ ।
କୋହଲିଙ୍କ ଏଭଳି ବିଫଳତାକୁ ଏବେ ସମାଲୋଚନା କରୁଛନ୍ତି ଅନେକ କ୍ରିକେଟର । ପାକିସ୍ତାନର ପୂର୍ବତନ ଖେଳାଳି ଦାନିଶ କାନେରିୟା କହିଛନ୍ତି, ‘ମୋଟା ମୋଟି ଭାବେ କହିବାକୁ ଗଲେ ବିରାଟ କୋହଲି ଜଣେ ବିଫଳ ଅଧିନାୟକ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଭୁଲ ଦଳ ଚୟନ କରିଥିଲେ । ଯାହା ଫଳରେ ଦଳ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅଷ୍ଟ୍ରେଲିଆ ଗସ୍ତରେ କୋହଲି ଅଧିନାୟକ ଥିବା ବେଳେ ଭାରତ ହାରୁଥିଲା । ସେ ଭାରତ ଫେରିବା ପରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ବିଜୟୀ ହୋଇଥିଲା । ଏଥିରେ ସନ୍ଦେହ ନାହିଁ ଯେ କୋହଲି ଜଣେ ବଡ ଖେଳାଳି କିନ୍ତୁ ଅଧିନାୟକ ଭାବେ ସେ ଜଣେ ବିଫଳ କ୍ୟାପଟେନ୍ । ଆକ୍ରମଣାତ୍ମକ ମନୋଭାବ ଥିଲେ ସୁଦ୍ଧା ଅଧିନାୟକ ଭାବେ ଦଳ ଚୟନ ଏବଂ ନିଷ୍ପତି ନେବାର ସେ ପୁରାପୁରି ଭାବେ ଫେଲ ମାରନ୍ତି ।’ କାନେରିୟା କହିଛନ୍ତି, ‘ବିଶ୍ୱକପରେ ଓପନିଂ କରିବେ ବୋଲି କହିଥିଲେ କୋହଲି । ଆରସିବି ବିପକ୍ଷରେ ମଧ୍ୟ ଓପନିଂ କରିଥିଲେ ଏବଂ କହିଥିଲେ ବିଶ୍ୱକପରେ ଦଳ ପକ୍ଷରୁ ଓପନ୍ କରିବେ କିନ୍ତୁ ବିଶ୍ୱକପ ଖେଳାଯିବାର ଠିକ ପୂର୍ବରୁ କୋହଲି ମନ ପରିବର୍ତନ କରିନେଇଥିଲେ । ଲୋକେସ ରାହୁଲ ଏବଂ ରୋହିତ ଶର୍ମା ଓପନ କରିବାକୁ କୁହାଯାଇଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ତାହା ମଧ୍ୟ ହୋଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦଳ ବ୍ୟାଟିଂ ଲାଇନ୍ ବଦଳିଥିଲା । ଯାହା କି ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା । ଓପନିଂ ଭାବେ ଇଶାନ କିଷନଙ୍କୁ ଦଳ ବାଛିଥିବା ବେଳେ ତାଙ୍କ ସହିତ ରାହୁଲଙ୍କୁ ଓପନ କରିବାକୁ ପଠାଯାଇଥିଲା । ରୋହିତଙ୍କୁ ପଛକୁ ରଖଇ ବଡ ଭୁଲ କରିଲା ଭାରତ । ଯାହା ଫଳରେ ଓପନିଂ ଏବଂ ମିଡିଲ ଅର୍ଡର ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଲା ।’ ଟି ୨୦ ବିଶ୍ୱକପରେ ଲଗାତାର ୨ଟି ମ୍ୟାଚରେ ପରାଜିତ ହେବା ପରେ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଆଲୋଚନା ଜୋର ଧରିଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ବିଶ୍ୱକପ ମଝିରେ ବି କୋହଲି କ୍ୟାପଟେନ୍ ପଦ ଛାଡିପାରନ୍ତି । ଅନେକ ପୂର୍ବତନ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳର ବ୍ୟାଟିଂ ଅର୍ଡରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । କୋହଲି ନିଜେ ମଧ୍ୟ କହିଥିଲେ ଯେ, ଖେଲାଳିମାନେ ନ୍ୟୁଜିଲାଣ୍ଡ ବିପକ୍ଷରେ ପର୍ଯ୍ୟାପ୍ତ ସାହସ ଜୁଟାଇ ପାରିଲେନି ।
