କେପଟାଉନ୍ ଟେଷ୍ଟ ପାଇଁ କୋହଲି ଫିଟ୍; ୧୪ ରନ୍ କଲେ ହାସଲ କରିବେ ଏହି ରେକର୍ଡ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନ ଟେଷ୍ଟ ପୂର୍ବରୁ ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ କୋହଲି ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ସେ ତୃତୀୟ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ବ୍ୟାଟିଂ ଫର୍ମକୁ ନେଇ ପ୍ରଶ୍ନର ଉତ୍ତରରେ ବିରାଟ କୋହଲି କହିଛନ୍ତି, ପ୍ରଥମ ଥର ବ୍ୟାଟିଂକୁ ନେଇ ଏହି ଆଲୋନାଚନା ହେଉ ନାହିଁ। ମୁଁ ଏ ପର୍ଯ୍ୟନ୍ତ ଦଳ ପାଇଁ ଯାହା ପ୍ରଦର୍ଶନ କରି ଆସିଛି, ତାକୁ ନେଇ ଗର୍ବିତ ଅନୁଭବ କରୁଛି। ଗତ କିଛି ବର୍ଷରେ ଦଳର ସ୍ମରଣୀୟ ମୁହୂର୍ତ୍ତ ସହିତ ରହିଛି। ତେଣୁ ମୋତେ କିଛି ସାବ୍ୟସ୍ତ କରିବାର ଆବଶ୍ୟକତା ନାହିଁ।
ବିରାଟ କୋହଲି କହିଛନ୍ତି, ଯେବେ ମୁଁ ଦଳର ଅଧିନାୟକ ଭାର ସମ୍ଭାଳିଲି, ସେହି ସମୟରେ ଆମେ ସପ୍ତମ ରାଙ୍କରେ ଥିଲୁ। ମାତ୍ର ଏବେ ଭାରତୀୟ ଦଳ ଶୀର୍ଷରେ ରହିଛି। କ୍ରମାଗତ ଅନେକ ବର୍ଷ ଶୀର୍ଷରେ ରହିଛୁ। ସୂଚନାଯୋଗ୍ୟ, ବିରାଟ କୋହଲି ପିଠି ଯନ୍ତ୍ରଣା କାରଣରୁ ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ଖେଳି ପାରିନଥିଲେ। ଜଣେ ଖେଳାଳି ହିସାବରେ ସେ ଦୀର୍ଘ ସମୟ ପରେ ଦଳରେ ଥାଇ ମ୍ୟାଚ୍ ଖେଳି ପାରି ନାହାନ୍ତି। ତାଙ୍କୁ କିଛିଟା ଅଜବ ଲାଗିଥିଲା ବୋଲି କୋହଲି କହିଛନ୍ତି। କେପଟାଉନ୍ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଆହତଜନିତ ସମସ୍ୟା କାରଣରୁ ତୃତୀୟ ଟେଷ୍ଟ ଖେଳିବାର ଖୁବ୍ କମ ସମ୍ଭାବନା ରହିଛି। ଏବେ ଦଳର ଚୂଡାନ୍ତ ଏକାଦଶ କେମିତି ରହିବ ତାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି।
ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ବିରାଟ କୋହଲି ଏବେ ସମ୍ପୂର୍ଣ୍ ଭାବେ ଫିଟ୍ ହୋଇଯାଇଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୧ରୁ ଘରୋଇ ଟିମ ବିପକ୍ଷରେ ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳିବ । ଜୋହାନ୍ସବର୍ଗ ଟେଷ୍ଟରେ ଆହତ କାରଣରୁ ବାଦ୍ ପଡିଥିବା କୋହଲି ଶେଷ ଟେଷ୍ଟ ପାଇଁ ତୟାର ହୋଇଯାଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ୭ ୱିକେଟରେ ପରାସ୍ତ ହୋଇଥିଲା ଭାରତୀୟ ଦଳ । ୧-୧ରେ ସିରିଜ୍ ବରାବର ଥିବାବେଳେ କେପଟାଉନ୍ରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟ ଉଭୟ ଟିମ୍ ପାଇଁ କର ବା ମର ସ୍ଥିତି ହୋଇଛି । ତୃତୀୟ ତଥା ଶେଷ ଟେଷ୍ଟରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଉ ଏକ ରେକର୍ଡ କରିବାର ସୁଯୋଗ ରହିଛି ।
କେପ୍ଟାଉନ୍ ଟେଷ୍ଟରେ ବିରାଟ କୋହଲିଙ୍କ ନିକଟରେ ନିଆରା ଏକ ରେକର୍ଡ କରିବାର ସୁଯୋଜ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ଆଉ ମାତ୍ର ୧୪ ରନ୍ କଲେ ପୂର୍ବତନ ଖେଳାଳି ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇବେ କୋହଲି । ସାଉଥ୍ ଆଫ୍ରିକାରେ କୋହଲି ମୋଟ ୬୧୧ ରନ୍ କରିଥିବା ବେଳେ ଦ୍ରାବିଡ ମୋଟ ୬୨୪ ରନ୍ ସଂଗ୍ରହ କରିଛନ୍ତି । ଦକ୍ଷିଣ ଆଫ୍ରିକା ମାଟିରେ ସବୁଠାରୁ ଅଧିକ ରନ୍ କରିବାର ରେକର୍ଡ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ରେ ରହିଛି । ଦକ୍ଷିଣ ଆଫ୍ରିକା ମାଟିରେ ତେନ୍ଦୁଲକର ମୋଟ ୨୮ଟି ମ୍ୟାଚ୍ ଖେଳି ୪୬.୪୪ ହାରରେ ୧୧୬୧ ରନ କରିଛନ୍ତି ଯେଉଁଥିରେ ୫ଟି ଶତକ ଏବଂ ୩ ଅର୍ଦ୍ଧଶତକ ସାମିଲ ଅଛି । ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ସର୍ବାଧିକ ସ୍କୋରର ହେବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକାରେ ଭାରତୀୟ ଖେଳାଳିଙ୍କ ରେକର୍ଡ ଦେଖିବାକୁ ଗଲେ, ତେନ୍ଦୁଲକରଙ୍କ ପରେ ରାହୁଲ ଦ୍ରାବିଡ ୨୨ଟି ଇନିଂସ ଖେଳି ଗୋଟିଏ ଶତକ ଏବଂ ୨ ଅର୍ଦ୍ଧଶତକ ସହାୟତାରେ ୬୨୪ ରନ କରିଛନ୍ତି । ସେହିଭଳି କୋହଲିଙ୍କ କଥା କହିବାକୁ ଗଲେ ସେ ୬ଟି ଟେଷ୍ଟ ମ୍ୟାଚ୍ ଖେଳି ୨ଶତକ ଏବଂ ୨ ଅର୍ଦ୍ଧଶତକ ସହ ୬୧୧ ରନ କରିଛନ୍ତି । ଭିଭିଏସ୍ ଲକ୍ଷ୍ମଣ ୧୮ ଇନିଂସରୁ ୪ଟି ଅର୍ଦ୍ଧଶତକ ସହ ୫୬୬ ରନ ଏବଂ ସୌରଭ ଗାଙ୍ଗୁଲି ୧୭ ଇନିଂସରୁ ୪ ଅର୍ଦ୍ଧଶତକ ସହ ୫୦୬ ରନ କରିଛନ୍ତି ।
