ଜାଣନ୍ତୁ କେବେଠୁ ପାଳନ ହେଉଛି ହୋଲି ?
ପତ୍ୟେକ ବର୍ଷ ଫାଲଗୁନ ମାସରେ ରଙ୍ଗର ପର୍ବ ହୋଲି ଖୁବ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯାଇଥାଏ। ଦେଶରେ ବର୍ଷକୁ ଥରେ ହୋଲିର ପର୍ବ ପାଳନ କରାଯାଏ । ଏହାର ବି ଅନେକ ଐତିହାସିକ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା କେବେଠୁ ପାଳନ ହେଉଛି ହୋଲି…
କିପରି ହୋଇଥିଲା ଆରମ୍ଭ :
ହୋଲିର ଇତିହାସକୁ ଦେଖିବାକୁ ଗଲେ ଏହା ଦ୍ୱାପର ଯୁଗରେ ଆରମ୍ଭ ହୋଇଥିଲା । ଆଜି ଯେଉଁଠି ଝାନ୍ସି ଅଛି, ସେଠାରେ ହିରଣ୍ୟକଶ୍ୟପ ନାମକ ଏକ ରାକ୍ଷସ ରାଜୁତି କରୁଥିଲା । ତପସ୍ୟା ବଳରେ ହିରଣକଶ୍ୟପ ବ୍ରହ୍ମାଙ୍କଠାରୁ ଅମର ହେବାର ବରଦାନ ପାଇଥିଲା । ଏହାକୁ ନେଇ ଗର୍ବ କରିବା ସହ ହିରଣ୍ୟକଶ୍ୟପ ନିଜକୁ ଭଗବାନ ଭାବିବାରେ ଲାଗିଲା । କେବଳ ଏତିକି ନୁହେଁ, ସେ ପ୍ରଜାଙ୍କୁ ନିଜର ପୂଜା କରିବାକୁ ବାଧ୍ୟ କରୁଥିଲା । କିନ୍ତୁ ହିରଣ୍ୟକଶ୍ୟପର ଏହି କଥାକୁ ନିଜ ପୁତ୍ର ଭକ୍ତ ପ୍ରହ୍ଲାଦ ହିଁ ମାନିନଥିଲେ ଓ ତାଙ୍କ ପୂଜା କରିବାକୁ ମନା କରିଥିଲେ । ସେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରିବାକୁ ଲାଗିଥିଲେ । ଏଥିରେ ହିରଣ୍ୟକଶ୍ୟକ ଅତ୍ୟଧିକ ରାଗିଥିଲା । ସେ ପ୍ରହ୍ଲାଦଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଥିଲା ।
ସେ ପ୍ରହ୍ଲାଦକୁ ହାତୀ ଦ୍ୱାରା ହେଉ ବା ଉଚ୍ଚ ପାହାଡ଼ରୁ ଠେଲିଦେଇ ମାରିବାର ଯୋଜନା କରିଥିଲା, କିନ୍ତୁ ପ୍ରହ୍ଲାଦ ବଞ୍ଚିଯାଇଥିଲେ । ହୋଲିକା ନାମକ ହିରଣ୍ୟକଶ୍ୟପର ଜଣେ ଭଉଣୀ ଥିଲେ । ତାଙ୍କୁ ନିଆଁ ବି ଜଳାଇପାରିବନି ବୋଲି ବରଦାନ ମିଳିଥିଲା । ହୋଲିକା ନିଆଁରେ ପ୍ରବେଶ କଲେ ବି ତାଙ୍କର କିଛି କ୍ଷତି ହେଉନଥିଲା ।
ଭକ୍ତ ପ୍ରହ୍ଲାଦଙ୍କ ସହ ନିଆଁରେ ପ୍ରବେଶ କରିବାକୁ ହିରଣ୍ୟକଶ୍ୟପ ତାଙ୍କ ଭଉଣୀ ହୋଲିକାଙ୍କୁ କହିଥିଲା । କିନ୍ତୁ ହୋଲିକା ନିଜର ବରଦାନ ବିଷୟରେ ଭୁଲି ଯାଇଥିଲେ ଯେ, ସେ ଯଦି ଆଉ କାହା ସହିତ ଯିବେ, ତାହେଲେ ନିଜେ ଜଳିଯିବେ । ହୋଲିକା ଭାଇ ହିରଣ୍ୟକଶ୍ୟପର କଥାରେ ଆସିଯାଇ ପ୍ରହ୍ଲାଦକୁ ନେଇ ନିଆଁରେ ପ୍ରବେଶ କରିଥିଲେ , କିନ୍ତୁ ସେ ନିଜେ ଜଳିଯାଇଥିଲେ ।
ସେବେଠାରୁ ହୋଲିର ଗୋଟିଏ ଦିନ ପୂର୍ବରୁ ସମଗ୍ର ଦେଶରେ ହୋଲିକା ଦହନ ଓ ପରଦିନ ହୋଲି ଖେଳାଯାଏ । କୁହାଯାଏ କି, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି । ଏହି ଦିନ ଲୋକମାନେ ଲୋକନୃତ୍ୟ ଗାନ କରନ୍ତି ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତି ।
