ଜାଣନ୍ତୁ କ’ଣ ପାଇଁ ଓ କାହିଁକି ପାଳନ ହୁଏ ବିଶ୍ୱ ଶାକାହାରୀ ଦିବସ
ଶାକାହାରୀ ଜୀବନଶୈଳୀରେ ସ୍ୱାସ୍ଥ୍ୟ, ନୈତିକ, ମାନବିକତା ଏବଂ ପରିବେଶ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ। ଶାକାହାରୀ ମାନଙ୍କୁ ସମ୍ମାନ ଜଣାଇ ଅକ୍ଟୋବର ୧ ତାରିଖକୁ ବିଶ୍ୱ ଶାକାହାରୀ ଦିବସ ପାଳନ କରାଯାଏ ।
ଏହାକୁ ଉତର ଆମେରିକାର ଶାକାହାରୀ ସମାଜ ପକ୍ଷରୁ ୧୯୭୭ ମସିହାରୁ ପାଳନ କରାଯାଉଛି । ପରିବେଶ ସୁରକ୍ଷା, ସୁସ୍ଥ ଶରୀର ଓ ଜୀବଦୟାର ପ୍ରଚାର ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଶାକାହାରୀ ଖାଦ୍ୟ ପ୍ରତି ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ଓ ଜୀବନ ପାଇଁ ଏହାର ଉପକାରିତା ସଂପର୍କରେ ଏହି ଦିବସରେ ସଚେତନତା କରାଯାଏ । ସେହିପରି ଜଣେ ଶାକାହାରୀର ଜୀବନଶୈଳୀ କିପରି ହେବା ଉଚିତ ସେ ସଂପର୍କରେ ମଧ୍ୟ ଏହି ଦିବସରେ ପ୍ରଚାର କରାଯାଇଥାଏ ।
କେବଳ ଏହି ଦିବସ ନୁହେଁ, ଅକ୍ଟୋବର ମାସକୁ ମଧ୍ୟ ବିଶ୍ୱ ଶାକାହାରୀ ସଚେତନତା ମାସ ଭାବେ ପାଳନ କରାଯାଏ । ଏକ ନିରୋଗ ଶରୀର ମାଧ୍ୟମରେ ସୁଖଶାନ୍ତିଭରା ଜୀବନଯାପନ କରିବା ପାଇଁ ଖାଦ୍ୟର ଉପାଦେୟତା ବିଷୟରେ ଭାରତୀୟ ପୁରାଣ ଶାସ୍ତ୍ରରେ ମାର୍ଗଦର୍ଶନର ତଥ୍ୟ ରହିଛି । ମନୁଷ୍ୟ ଜୀବନ କ୍ଷଣସ୍ଥାୟୀ । କେତେବେଳେ କାହାର ଜୀବନ ପ୍ରଦୀପ ନିର୍ବାପିତ ହୋଇଯିବ ତାହା କହିହେବ ନାହିଁ । ସେଥିପାଇଁ ମନୁଷ୍ୟ ଜୀବନକୁ ପାଣି ଫୋଟକା ସହିତ ତୁଳନା କରାଯାଇଛି । ତଥାପି ଯେତେଦିନ ଏ ସଂସାରରେ ବଞ୍ଚଚିଥିବା ଏ ଶରୀରକୁ ସୁସ୍ଥ ରଖିବା ପାଇଁ ଯତ୍ନବାନ ହେବା । କାରଣ ଏ ସଂସାର ସାଗରକୁ ସୁରୁଖୁରୁରେ ପାର ହେବା ପାଇଁ ଶରୀର ଏକମାତ୍ର ମାଧ୍ୟମ ।
ଗଭୀର ତରଙ୍ଗାୟିତ ସମୁଦ୍ରକୁ ପାର ହେବା ପାଇଁ ଏକ ନିଖୁଣ ପୋତର ଆବଶ୍ୟକତା ଥିଲାପରି ନାନା ଝଡ଼ଝଞ୍ଜା ମଧ୍ୟଦେଇ ଗତି କରୁଥିବା ଅମୂଲ୍ୟ ମାନବ ଜୀବନକୁ ସୁରୁଖୁରୁରେ ଚଳାଇ ନେବା ପାଇଁ ଏକ ସୁସ୍ଥ ଶରୀର ଆବଶ୍ୟକ । ଜାହାଜରେ ଛିଦ୍ର ଥିଲେ ଗଭୀର ସମୁଦ୍ର ମଧ୍ୟରେ ଜାହାଜଟି ବୁଡ଼ିଗଲା ପରି ରୋଗାକ୍ରାନ୍ତ ଶରୀର ଅସମୟରେ ମୃତ୍ୟୁବରଣ କରେ । ମାନବ ଶରୀର ସହଜରେ ନାନା ପ୍ରକାର ରୋଗବ୍ୟାଧି ଆକ୍ରାନ୍ତ ହୋଇ ଦୁର୍ବଳ ଓ ଅକର୍ମଣ୍ୟ ହୋଇ ଅନ୍ୟମାନଙ୍କ ପାଇଁ ବୋଝ ହୋଇଥାଏ । ଗୋଟିଏ ସୁସ୍ଥ ଶରୀର ଅନ୍ୟମାନଙ୍କ ପାଇଁ ବୋଝ ନ ହୋଇ ଉତମ ସ୍ୱାସ୍ଥ୍ୟକୁ ସର୍ବଶ୍ରେଷ୍ଠ ସମ୍ପଦ ବୋଲି ଅଭିହିତ କରାଯାଇଛି । ସରଳ ଜୀବନ ଯାତ୍ରାର ପ୍ରଣାଳୀ ଅବଲମ୍ବନ ସହଜ ସାବଲୀଳ ଶାରୀରିକ ବ୍ୟାୟାମ ଓ ଖାଦ୍ୟ ଉପରେ ନିଜର ନିୟନ୍ତ୍ରଣ ରଖିପାରିଲେ ଶରୀର ସୁସ୍ଥ ରହେ । ଖାଦ୍ୟପଦାର୍ଥର ସ୍ୱାଦ ଜାଣିବା ପାଇଁ ଜିହ୍ୱା ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିବା ପାଇଁ ଜିହ୍ୱା ମନକୁ ପ୍ରଭାବିତ କରିଥାଏ । ଫଳରେ ଅନିୟନ୍ତ୍ରିତ ମନର ପ୍ରଭାବରେ ଅଧିକ ପରିମାଣରେ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିବା ଶରୀର ରୋଗାକ୍ରାନ୍ତ ହୋଇଥାଏ ।
ଅଧିକ ଚର୍ବି ଜାତୀୟ ଖାଦ୍ୟ, ତେଲ ଘିଅ ଓ ଶ୍ୱେତସାର ଖାଇବା ଦ୍ୱାରା ଶରୀରର ସ୍ଥୂଳତା ବୃଦ୍ଧି ପାଏ । ଅଧିକ ମସଲା, ରାଗ, ଚା, କଫି ଓ ମଦ୍ୟପାନ ପାକସ୍ଥଳୀ ଓ ଅନ୍ତଃନଳୀରେ ପ୍ରଦାହ ସୃଷ୍ଟି କରେ । ନିୟମିତ ଭାବେ ଖାଦ୍ୟ ଗ୍ରହଣର ବ୍ୟବଧାନ ଉପରେ ଦୃଷ୍ଟିରଖି ଖାଦ୍ୟ ଗ୍ରହଣ କଲେ ପାଚନ କ୍ରିୟା ସ୍ୱାଭାବିକ ହେବା ସହ ଶରୀର କାର୍ଯ୍ୟକ୍ଷମ ରହେ । ଖାଦ୍ୟର ପରିମାଣ ଓ ଗୁଣାତ୍ମକମାନ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିଥାଏ । ବିଭିନ୍ନ ଖାଦ୍ୟ ଗ୍ରହଣ ଦ୍ୱାରା ଶରୀର ମଧ୍ୟରେ ଉତ୍ପନ୍ନ ହେଉଥିବା ଭିନ୍ନ ଭିନ୍ନ ପ୍ରକାରର ଶକ୍ତି ଦେହ ଓ ମନକୁ ବିଭିନ୍ନ ଭାବରେ ପରିଚାଳିତ କରେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେପରି ଖାଦ୍ୟ ସେପରି ମନ । ଯେପରି ମନ ସେପରି ଚିନ୍ତା, ସେପରି ବ୍ୟବହାର ଓ କାର୍ଯ୍ୟ ଏବଂ ଯେପରି କାର୍ଯ୍ୟ ସେପରି ସ୍ୱାସ୍ଥ୍ୟ, ଖାଦ୍ୟ ମନୁଷ୍ୟକୁ ଚଳଚଞ୍ଚଚଳ କାର୍ଯ୍ୟକ୍ଷମ, ମାନ୍ଦା, ଚିନ୍ତାଗ୍ରସ୍ତ, ବିଷାଦଚିତ ବା ପ୍ରଫୁଲ୍ଲ ରଖେ । ଖାଦ୍ୟର ପ୍ରକାରଭେଦ ଏକାଗ୍ରତାକୁ ନୟନ୍ତ୍ରିତ କରେ । ଖାଦ୍ୟ ପରିମାଣ ଓ ଗୁଣାତ୍ମକମାନ ଆତ୍ମସଂଯମର ହ୍ରାସ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରିତ କରେ ।
ମନୁଷ୍ୟ କିନ୍ତୁ ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରଖେନାହିଁ । ଖାଦ୍ୟ ସମ୍ବନ୍ଧରେ ଗାଆଁ ମାନଙ୍କରେ ଗୋଟିଏ ଲୋକପ୍ରିୟ ସତର୍କ ବାଣୀ ହେଲା ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଧାଇଁଲେ ବଢ଼ଇ ବାୟୁ, ଖାଇ ବସିଲେ ବଢ଼ଇ ପେଟ ଓ ଖାଇ ଖାଇଲେ ଯମର ଭେଟ । ହିନ୍ଦୁ ଶାସ୍ତ୍ରରେ ଖାଦ୍ୟକୁ ସାତ୍ୱିକ, ରାଜସିକ ଓ ତାମସିକ ଏହି ତିନିଭାଗରେ ବିଭକ୍ତ କରାଯାଇଛି । ବିଭିନ୍ନ ଖାଦ୍ୟ ମନୁଷ୍ୟର ଦେହ ଓ ମନରେ ଭିନ୍ନ ଭିନ୍ନ ଅବସ୍ଥା ସୃଷ୍ଟି କରିଥାଏ । ସାତ୍ୱିକ ଖାଦ୍ୟ ମନରେ ଭାବପ୍ରବଣତା ସୃଷ୍ଟି ନକରି ମନକୁ ନିଶ୍ଚଳ ରଖେ । ରାଜସିକ ଖାଦ୍ୟ ମନରେ ଭାବ ପ୍ରବଣତା ସୃଷ୍ଟି କରେ ଓ ତାମସିକ ଖାଦ୍ୟ ମନରେ ଉତେଜନା, କ୍ରୋଧ, ପ୍ରତିହିଂସା, କାମୁକତା ଆଦି ଦୁର୍ଗୁଣ ସୃଷ୍ଟି କରେ ।
ଆଧ୍ୟାତ୍ମିକ ମାର୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ସର୍ବଦା ସାତ୍ୱିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନ ଶାନ୍ତ, ଶିଷ୍ଟ, ନିଶ୍ଚଳ ଓ ପବିତ୍ର ରହେ । ମଦ ଓ ମାଂସର ମନୁଷ୍ୟ ଶରୀର ଉପରେ ପଢ଼ୁଥିବା କୁପ୍ରଭାବ ଆମେ ଜାଣିଛେ । ମାଂସ ଭକ୍ଷଣ ଦ୍ୱାରା ମନରେ ହିଂସ୍ର ପ୍ରବୃତି ଜାତ ହୁଏ । ମାଂସ ଖାଇବା ପାଇଁ ପଶୁଟିକୁ ହତ୍ୟା କଲାବେଳେ ତା\’ ମନରେ ଯେଉଁ ପ୍ରତିକ୍ରିୟା ଓ ଭାବାନ୍ତର ସୃଷ୍ଟି ହୁଏ ତାହା ମାଂସଭକ୍ଷଣକାରୀ ମନ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଖାଦ୍ୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ଚିନ୍ତାଧାରାକୁ ମଧ୍ୟ ନିୟନ୍ତ୍ରିତ କରେ ।
ଶାକାହାର ଖାଦ୍ୟ ସାତ୍ୱିକ ଓ ଆଧ୍ୟାତ୍ମିକ ଜୀବନ ପାଇଁ ସର୍ବୋତ୍କୃଷ୍ଟ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କେବଳ ଆମିଷ ନୁହେଁ ଖାଦ୍ୟ ବ୍ୟବସ୍ଥାରେ ପିଆଜ, ରସୁଣକୁ ବି ତ୍ୟାଗ ପାଇଁ ମାର୍ଗଦର୍ଶନ କରିଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କରେ କଂଚା ପରିବାପତ୍ର, ଅଧାସିଝା ପରିବା କିମ୍ବା ମସଲା ଦିଆ ନଯାଇ ସିଝା ହୋଇଥିବା ପରିବାପତ୍ର ଖାଇଥାଆନ୍ତି । ବେଶୀ ସିଝିଗଲେ ଖାଦ୍ୟପ୍ରାଣ ନଷ୍ଟ ହୋଇଯାଏ । ଆମ ଦେଶରେ ବ୍ୟଞ୍ଜନର ସ୍ୱାଦୁ ବଢ଼ାଇବା ପାଇଁ ଓ ଆକର୍ଷଣୀୟ ଦେଖାଯିବା ପାଇଁ ଦିଆଯାଉଥିବା ମସଲାଯୁକ୍ତ ତରକାରୀକୁ ସେମାନେ ପସନ୍ଦ କରନ୍ତି ନାହିଁ । କାରଣ ଏହି ଖାଦ୍ୟ ସ୍ୱାସ୍ଥ୍ୟପକ୍ଷରେ ହାନିକାରକ । ସାଇବାବା କହନ୍ତି, ଉତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଖାଦ୍ୟପ୍ରାଣରେ ଭରପୁର କଂଚା ଖାଇ ହେଉଥିବା ଫଳ, ମୂଳ, ପନିପରିବା ଡାଲି ଜାତୀୟ ଖାଦ୍ୟ ମୁଗ, ମଟର, ବୁଟକୁ ଗଜା କରି ଭାଜି କରି ବା ଡାଲି କରି ଖାଇଲେ, ନଡ଼ିଆ ଖାଇଲେ ଓ ନଡ଼ିଆ ପାଣି ପିଇଲେ କିଛି ପରିମାଣରେ ଦହି ଖାଇଲେ ସ୍ୱାସ୍ଥ୍ୟ ଭଲରହେ । ସୀମିତ ପରିମାଣର ଶ୍ୱେତସାର, ପୁଷ୍ଟିସାର ଓ ଅଳ୍ପ ସ୍ନେହସାର ଖାଦ୍ୟ ଖାଇବା ଉଚିତ । ଯଥେଷ୍ଟ ପରିମାଣରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟଭଲ ରହେ ।
ଖାଦ୍ୟ ଖାଉଥିବାବେଳେ ମଝିରେ ମଝିରେ ପାଣି ପିଇବା ଉଚିତ ନୁହେଁ । ଅନିୟମିତ ଖାଦ୍ୟ ଗ୍ରହଣ ଦ୍ୱାରା ମେଦବହୁଳତା, ଉଚ୍ଚରକ୍ତଚାପ ମଧୁମେହ ରୋଗ, ପେଟ ରୋଗ, ପରିପାକ ସମସ୍ୟା ଦେଖାଦିଏ । ସେଥିପାଇଁ ନିୟମିତ ବ୍ୟବଧାନରେ ଆବଶ୍ୟକତା ଅନୁଯାୟୀ ସାତ୍ୱିକ ଖାଦ୍ୟ ଗ୍ରହଣ କରିବା ଉଚିତ । ଗୋଟିଏ ଉପାଦେୟ ଲୋକକଥା ପ୍ରଚଳିତ ଅଛି । ତାହା ହେଲା ଦିନରେ ଥରେ ଆହାର ଗ୍ରହଣ କରନ୍ତି ଯୋଗୀ, ଦୁଇଥର ଆହାର ଗ୍ରହଣ କରନ୍ତି ଭୋଗୀ ଓ ତିନିଥର ଆହାର ଗ୍ରହଣ କରନ୍ତି ରୋଗୀ । ଆବଶ୍ୟକତା ଅନୁଯାୟୀ ସୀମିତ ଆହାର ଗ୍ରହଣ କରି ଯୋଗୀ ମାନେ ଦୀର୍ଘଜୀବୀ ହେଉଥିଲେ । ଅତ୍ୟଧିକ ପରିମାଣରେ ବାରମ୍ବାର ଖାଦ୍ୟ ଖାଇ ଅକାଳମୃତ୍ୟୁ ବରଣ କରିବା ଲୋକଙ୍କର ବହୁତ ଦୃଷ୍ଟାନ୍ତ ଅଛି । ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ମଝିରେ ମଝିରେ ଉପବାସ ରହିବା ପାଇଁ ସାଇବାବା କହିଥାନ୍ତି । ଏହାଦ୍ୱାରା ପାକ ଯନ୍ତ୍ର ବିଶ୍ରାମ ପାଏ ।
