ଆଇପିଏଲ-୨୦୨୩ : କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବ୍ୟର୍ଥ, ଲକ୍ଷ୍ନୌକୁ ୭ ରନରେ ହରାଇଲା ଗୁଜରାଟ
ଲକ୍ଷ୍ନୌ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ରେ ଶନିବାର ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ୩୦ତମ ମ୍ୟାଚରେ ଲକ୍ଷ୍ନୌକୁ ୭ ରନରେ ପରାସ୍ତ କଲା ଗୁଜରାଟ । ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବାବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚ ଛଡ଼ାଇ ଆଣିଥିଲେ । ମୋହିତ ଶର୍ମା ପକାଇଥିବା ଶେଷ ଓଭରରେ ଲକ୍ଷ୍ନୌ ମାତ୍ର ୪ ରନ ହିଁ କରିପାରିଥିଲା । ଏହି ଓଭରରେ କେଏଲ ରାହୁଲ ଆଉଟ ହେବା ପରେ ପଛକୁ ପଛ ଆଉ ୩ ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ, ଫଳରେ ଦଳ ପରାଜୟ ବରଣ କରିଥିଲା ।
ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୫ରନ କରିଥିଲା । ଲକ୍ଷ୍ନୌ ଆଗରେ ୧୩୬ ରନର ଏକ ଛୋଟିଆ ଲକ୍ଷ୍ୟ ରଖିଥିଲେ ବି ଗୁଜରାଟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ନିଜ ଦଳ ପାଇଁ ଏକ ଚମତ୍କାର ବିଜୟ ଆଣିଦେଇଥିଲେ । ବ୍ୟାଟରଙ୍କ ଧିମା ବ୍ୟାଟିଂ କାରଣରୁ ଦଳ ପରାଜିତ ହେବା ସହ ଏଲଏସଜି ଅଧିନାୟକ ଲୋକେଶ ରାହୁଲଙ୍କ ୬୮ ରନର ଇନିଂସ ବ୍ୟର୍ଥ ହୋଇଛି। ଗୁଜରାଟ୍ ଷଷ୍ଠ ମ୍ୟାଚ୍ରେ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ଲକ୍ଷ୍ନୌ ସପ୍ତମ ମ୍ୟାଚ୍ରେ ତୃତୀୟ ପରାଜୟ ଭୋଗିଛି।
ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ବ୍ୟାଟରଙ୍କ ବିଫଳତା ଯୋଗୁଁ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୬୬ ଏବଂ ଋଦ୍ଧିମାନ ଶାହ ୪୭ ରନର ଇନିଂସ ଖେଳିଥିଲା। ଅନ୍ୟ ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଲକ୍ଷ୍ନୌ ପକ୍ଷରୁ କୃଣାଲ ପାଣ୍ଡ୍ୟା ଏବଂ ମାର୍କସ ଷ୍ଟୋଇନିସ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଲକ୍ଷ୍ନୌ ବୋଲର ମାପଚୁବ ବୋଲିଂ କରି ଗୁଜରାଟକୁ ବଡ ସ୍କୋର କରିବାକୁ ଦେଇ ନଥିଲେ। ଏହାର ଜଵାବର ଲକ୍ଷ୍ମୌ ଲୋକେଶ ରାହୁଲଙ୍କ ୬୮ ରନ ସତ୍ତ୍ଵେ ୭ ଓ୍ଵିକେଟ୍ ହରାଇ ୧୨୮ ରନରେ ସୀମିତ ରହିଛି। ମୋହିତ ଶର୍ମା ଏବଂ ନୂର ମହମ୍ମଦ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
