ବାକି ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି
ବସ୍ତା : ବାଲେଶ୍ଵର ଜିଲା ବସ୍ତା ଥାନା ନିକଟସ୍ଥ ଟିକରାପଡ଼ା ଗ୍ରାମର ମସଜିଦ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ସଦାନନ୍ଦପୁର ଗ୍ରାମର ହରେନ୍ଦ୍ର ବାରିକଙ୍କ ପୁତ୍ର ଅଜୟ (୩୦)। ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ପୋଲିସ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ।

ସୂଚନା ଯେ, ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ହରେନ୍ଦ୍ର ବାରିକଙ୍କ ପୁଅ ଅଜୟ (୩୦) ଶନିବାର ରାତିରୁ ନିଖୋଜ ଥିବା ବେଳେ ସୋମବାର ସକାଳେ ସ୍ଥାନୀୟ ଟିକରପଡ଼ା ଗ୍ରାମର ଅକ୍ଷୟ ଦଳେଇଙ୍କ ନିକଟ ଅନ୍ୟ ଜଣଙ୍କ ବାଡ଼ିରୁ ମୃତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିବା ଜଣାଯାଇଛି । ଘଟଣାସ୍ଥଳରୁ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଦଳ ସହାୟତାରେ ତଦନ୍ତ ଜାରି ରଖିଛି । ଅକ୍ଷୟ ଦଳେଇଙ୍କୁ ସନ୍ଦେହରେ ଅଟକ ରଖିଥିବା ବେଳେ ତାଙ୍କ ଘରୁ ଦୁଇଟି ତେଲେଙ୍ଗା କଟୁରୀ ଜବତି କରି ଥିବା ଜଣାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଜୟ ମଦ ବେପାର କରୁଥିବା ଅକ୍ଷୟଙ୍କ ପାଖରୁ ମଦ ପିଇ ପଇସା ବାକି ରଖିଥିଲେ । ବାକି ପଇସାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ହୋଇଥାଇପାରେ ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ଯାଇଛି ।
