ଚୀନ୍ ସୀମାରୁ ଉଦ୍ଧାର ହେଲା ଅପହୃତ ଯୁବକ
ନୂଆଦିଲ୍ଲୀ: ଉଦ୍ଧାର ହେଲା ଅପହୃତ ଯୁବକ । ୫ ଦିନ ପରେ ଚୀନ୍ ସୀମା ଭିତରୁ ଅପହୃତ ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ଯୁବକ ମୀରାମ ତାରୋନ୍ ଉଦ୍ଧାର ହୋଇଛି । ଏନେଇ ଚୀନ୍ ସେନା ଖୋଦ୍ ଭାରତୀୟ ସୈନିକଙ୍କୁ ସୂଚନା ଦେଇଛି । ଏବେ ଯୁବକଙ୍କୁ ଭାରତକୁ ଫେରାଇବା ପାଇଁ ଔପଚାରିକ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ତେଜପୁରରେ ପିଆର୍ଓ ଡିଫେନ୍ସ ଲେଫ୍ଟିନେଂଟ କର୍ଣ୍ଣଲ ହର୍ଷବର୍ଦ୍ଧନ ପାଣ୍ଡେ ସୂଚନା ଦେଇଛନ୍ତି । ଗତ କିଛି ଦିନ ତଳେ ଭାରତ ସୀମା ଭିତରେ ପଶି ପିଏଲ୍ଏ ଉକ୍ତ ଯୁବକୁ ବଳ ପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଂଚଳରେ ରହୁଥିବା ଉକ୍ତ ୧୭ ବର୍ଷୀୟ ଯୁବକ ଜାନୁଆରୀ ୧୮ରୁ କଥିତ ରୂପେ ନିଖୋଜ ଥିଲେ । ଯୁବକଙ୍କ ନିଖୋଜ ହୋଇଥିବା ଖବରକୁ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ଉଠାଇଥିଲେ ।
