ଅପହୃତ ମାଛ ବ୍ୟବସାୟୀ କଲିକତାରୁ ଉଦ୍ଧାର
କୋରାଇ : ସଠିପୁରରୁ ଅପହୃତ ମାଛ ବ୍ୟବସାୟୀ ଅଶୋକ କୁମାର ମାଝୀଙ୍କୁ କଲିକତାରୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ସେ ଆସି ଘରେ ପହଂଚିବା ପରେ ପାଣିକୋଇଲି ଥାନାରେ ପହଂଚିଛନ୍ତି । ମଙ୍ଗଳବାର ରାତ୍ରୀରେ ମାଛ ଟଙ୍କା ହୋଟେଲକୁ ଆଦାୟ କରିବାକୁ ଆସି ଅପହରଣର ଶିକାର ହୋଇଥିଲେ । ତାଙ୍କୁ ଏକ କାର୍ରେ ବସାଇ କଲିକତା ଅପହରଣ କରି ନିଆଯାଇଥିଲା । ସେଠାରେ ସେ କୌଶଳ କ୍ରମେ ଜଣଙ୍କ ସହାୟତାରେ ଫୋନ୍ ଯୋଗେ ଘରକୁ ଜଣାଇଥିଲେ । ଯୋଗାଯୋଗ ପରେ ସେ ଘରକୁ ଫେରିବାକୁ ସକ୍ଷମ ହୋଇଛନ୍ତି । ପ୍ରକାଶ ଯେ ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ବଜାରରେ ମାଛ ବ୍ୟବସାୟ କରୁଥିବା ଅଶୋକ କୁମାର ମାଝୀ(୫୦) ନିଖୋଜ ହେବା ନେଇ ପାଣିକୋଇଲି ଥାନାରେ ଅଭିଯୋଗ କରାଯାଇଥିଲା । ମାଳଆନନ୍ଦପୁର ପଂଚାୟତ ଅର୍ନ୍ତଗତ କଂଟିଗଡିଆ(ନୁରଙ୍ଗା) ଗ୍ରାମର ଗୌରାଙ୍ଗ ମାଝୀଙ୍କ ପୁଅ ଅଶୋକ ସଠିପୁର ନୁରୁଙ୍ଗା ରାସ୍ତାରେ ଘରଭଡ଼ା ନେଇ ରହିବା ସହ ସଠିପୁରରେ ମାଛ ବ୍ୟବସାୟ କରନ୍ତି । ଗତ ମଙ୍ଗଳବାର ରାତ୍ରୀ ୯ଟା ସମୟରେ ହୋଟେଲମାନଙ୍କରେ ଦେଇଥିବା ମାଛର ଟଙ୍କା ଆଦାୟ କରିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ମାତ୍ର ୨ଟି ହୋଟେଲରୁ ଅର୍ଥ ଆଣିବା ପରେ ଅନ୍ୟ ହୋଟେଲକୁ ନଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ ।
