ଖଇରାରେ ଜିଲାପାଳ ଓ ଏସ୍ପିଙ୍କ ଜନଶୁଣାଣି ଶିବିର କୁପାରୀରେ ଜମି ଦୁର୍ନିତିକୁ ନେଇ ସର୍ବାଧିକ ଅଭିଯୋଗ
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକ ଶିକ୍ଷକ ସଂଘ ଭବନ ପରିସରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ଏସ୍ପି ସାଗରିକା ନାଥ ସୋମବାର ୨୦୫ ଅଭିଯୋଗର ଶୁଣାଣି କରିଛନ୍ତି । କୁପାରୀ ରାଜସ୍ୱ କ୍ଷେତ୍ର କୁପାରୀ ମୌଜାରେ କିଛି ଅଧିକାରୀ ବୃତିରେ ପ୍ରଧାନଶିକ୍ଷକ, ପୋଷ୍ଟମାଷ୍ଟର, ବ୍ୟାଙ୍କ ଅଧିକାରୀ, ପୋଲିସ ନିରିକ୍ଷକ ଯେଉଁମାନେ ରାଜସ୍ୱ ଅଧିକାରୀଙ୍କୁ ହାତ କରି କୁପାରୀ ଶାରିଶୁଆ ,ବାଉଁଶଗଡିଆ-ବଗେଇପୁର ରାସ୍ତାପାଶ୍ୱର୍,କୁପାରୀ ମହାବିଦ୍ୟାଳୟ ହତା ମଧ୍ୟଭାଗ,ପଥର ଚଟାଣ ଭଳି ବହୁମୁଲ୍ୟ ସରକାରୀ ଜମିକୁ ଧର୍ମପତ୍ନୀ,ଶାଶୁ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ନାମରେ କରାଇ ନେଇଥିବା ନେଇ କୁପାରୀ ଗ୍ରାମର ଶତାଧିକ ଗ୍ରାମବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଥିଲେ । ସେହିଭଳି କୁପାରୀ ହାଇସ୍କୁଲ ନାମରେ ଥିବା ୫ଡିସିମିଲ ଜମି(ଖାତା ନଂ ୭୬୧/୧୩,ପ୍ଲଟ ନମ୍ବର ୧୦୬୭)କୁ ଚାଷୀ ଓ ରାଜନେତା ପ୍ରଧାନଶିକ୍ଷକଙ୍କୁ ଭୟଭିତ କରି ନିଜ ଦଖଲରେ ରଖିଥିବା ଜମିକୁ ମୁକୁଳାଇବାକୁ ପୁର୍ବତନ କମିଟି ସଭାପତି ଗଜେନ୍ଦ୍ର ପ୍ରସାଦ ଦାସ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ଶହୀଦ ସ୍ମୃତି ପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ତୁଡିଗଡିଆ ବଜାରରେ ଜନଗହଳି ତଥା ଖଇରା ଓ ସୋର ଥାନାର ଦୁରତ୍ୱକୁ ବିଚାରକୁ ନେଇ ଏକ ଥାନା କିମ୍ବା ଫାଣ୍ଡି ପ୍ରତିଷ୍ଠା ପାଇଁ ଶହିଦ ସ୍ମୃତି କମିଟି ତରଫରୁ ଦାବୀ କରାଯାଇଥିଲା । ସେହିଭଳି ଖଇରା ଜନଜାଗରଣ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ ଏବଂ ସମ୍ପାଦକ ନିରଞ୍ଜନ ବେହେରା ଏବଂ ସଦସ୍ୟ ମାନେ ବାରମ୍ବାର ଦାବୀ ପରେ ମଧ୍ୟ ବିଶ୍ରାମଗାର ନିର୍ମାଣ କରାଯାଉନଥିବା ନେଇ ଅଭିଯୋଗ ଆଣିବାପରେ ଜିଲପାଳ ନିଜସ୍ୱ ଉଦ୍ୟମରେ ଏହା କରାବାକୁ ପ୍ରତିଶୃତି ଦେଇଥିଲେ । ଏହାଛଡା ଅଡା ହାଇସ୍କୁଲରେ ୫-ଟି ଓ ଗ୍ରାମ୍ୟଉନ୍ନୟନ ବିଭାଗ ଅନୁଦାନରେ ସ୍କୁଲ ଗୃହ ଏବଂ ପାଚେରୀ ନିର୍ମାଣରେ ଅନିୟମିତତା ଏବଂ ଜଳଙ୍ଗ ଅଞ୍ଛଳରେ ନିଶାସକ୍ତ ଅବସ୍ଥାରେ ଭାରସାମ୍ୟ ହରାଇ ମୃତ୍ୟୁ ବରଣ କରିଥିବା ଜଣେ ଶିକ୍ଷକଙ୍କ ରିପୋର୍ଟ ସିମୁଳିଆ ଥାନା ଆଇଆଇସି ଓଲଟପାଲଟ କରି ଲକ୍ଷାଧିକ ବିମା ଅର୍ଥ ହେରଫେର କରିବାକୁ ଉଦ୍ୟମ କରୁଥିବା ନେଇ ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଦାସ,ଧନେଶ୍ୱର ବେହେରା,କୈଳାସ ବେହେରା ପ୍ରମୁଖ ଏସପିଙ୍କ ହସ୍ତକ୍ଷେପ ଦାବୀ କରିଥିଲେ । ଗଡପୋଖରୀ ପଞ୍ଚାୟତରେ ନିଯୁକ୍ତ କନିଷ୍ଠ ଯନ୍ତ୍ରୀ ଠିକ ଭାବେ କାର୍ଯ୍ୟ ସମ୍ପାଦନରେ ସହଯୋଗ କରୁନଥିବା କାରଣରୁ ତାଙ୍କୁ ହଟାଇବାକୁ ସରପଞ୍ଚ ଟିକିରାଣି ସେଠୀ ଦାବୀ ଉପସ୍ଥାପନ କରିଥିଲେ । ଖଇରା ବିଡିଓ ପର୍ଶୁରାମ ପଣ୍ଡା,ତହସିଲଦାର ପ୍ରଶାନ୍ତ କୁମାର ମହାରଣା,ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର,ଜିଲା ପ୍ରକଳ୍ପ ଅଧିକାରୀ ରବିନ୍ଦ୍ର କୁମାର ସାହୁ,ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଦୁଲାଲସେନ ଜଗଦେବ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ । ଫଟୋ-ଖଇରା୧-ଜିଲାପାଳ ଓ ଏସପି ଅଭିଯୋଗର ଶୁଣାଣି କରୁଛନ୍ତି ।
