ଖାଉଟିଙ୍କୁ ମାହାଙ୍ଗା ମାଡ଼ : ୨୬୫ ଟଙ୍କା ବଢିଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ : ପହିଲାରୁ ମହଙ୍ଗା ମାଡ଼। ଦୀପାବଳି ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଦେଶରେ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ସୋମବାର ଠାରୁ ୨୬୫ ଟଙ୍କା ବୃଦ୍ଧିପାଇଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀର ବ୍ୟବସାୟିକ ସିଲିଣ୍ଡର ୨୦୦୦ ଟଙ୍କା ଅତିକ୍ରମ କରିଛି । ଏହା ପୂର୍ବରୁ ଏହା ୧୭୩୩ ଟଙ୍କା ଥିଲା । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦୦ ଟଙ୍କା ୫୦ ପଇସାକୁ ବୃଦ୍ଧିପାଇଛି । ପୂର୍ବରୁ ଏହା ୧୭୩୪ ଟଙ୍କା ପଡୁଥିଲା । ସେହିଭଳି ମୁମ୍ବାଇରେ ସଂପ୍ରତି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୫୦ ଟଙ୍କା ଏବଂ କୋଲକାତାରେ ଏହା ୨୦୭୩ ଟଙ୍କା ୫୦ ପଇସାରେ ପହଞ୍ଚିଛି ।
ତେବେ ସୋମବାର ଦିନ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ । ଫଳରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ମାତ୍ର ୮୯୯.୫୦ଟଙ୍କାରେ ଉପଲବ୍ଧ ହେଉଛି । ସୂଚନା ଥାଉ କି, ଅକ୍ଟୋବର ୬ ରେ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏଥିସହିତ, ଅକ୍ଟୋବର ୧ ରେ କେବଳ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା । କୋଲକାତାରେ ୯୨୬ ଏବଂ ଚେନ୍ନାଇରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୯୧୫.୫୦ଟଙ୍କା ପାଇଁ ଉପଲବ୍ଧ । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥର ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଥିଲା । ସୂଚନା ଯେ, ଗତ ଏକମାସ ଧରି ଦେଶରେ କ୍ରମାଗତ ଭାବରେ ପେଟ୍ରୋଲ, ଡିଲେ ଓ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧିପାଇବା ଦ୍ୱାରା ପରିବହନ ଖର୍ଚ୍ଚ ବୃଦ୍ଧି ସହିତ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶ ଛୁଆଁ ହୋଇଛି ।
