କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ୫ ଗିରଫ
କେନ୍ଦୁଝର : କେନ୍ଦୁଝର ବିଧାୟକ ତଥା କେନ୍ଦୁଝର: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାରେ କେନ୍ଦୁଝର ପୋଲିସକୁ ମିଳିଛି ବଡ ସଫଳତା । ଘଟଣାର ତିନିଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ପାଞ୍ଚ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ରହିଛି । ଏଥିସହ ପୋଲିସ ୨ଟି ଅଫୁଟା ବୋମା, ୪ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି। ସିସିଟିଭି ଓ ସିଟି ସର୍ଭିଲାନ୍ସ ଆଧାରରେ ସମସ୍ତ ଦୁବୃତ୍ତଙ୍କୁ ଗିରଫ କରିଛି ପୋଲିସ ।ସମସ୍ତ ଅଭିଯୁକ୍ତ କେନ୍ଦୁଝର ଜିଲାର । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ପ୍ରତାପ ରାଉତଙ୍କ ସହ ମନମୋହନ ଦାସ, ବିଦ୍ୟାଧର ପରିଡା, ଶରତ ଜେନା ଓ ଶିଙ୍କୁଲ ଶେଖ । ଏମାନେ ନମୋଃ ସେନା ନାମକ ଏକ ସଂଗଠନର ସଦସ୍ୟ । ଏମାନେ ବିଧାୟକଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ଆକ୍ରମଣ ବ୍ୟକ୍ତିଗତ ଶତ୍ରୁତା ଓ ପଇସା ଦେଣ ନେଣକୁ ନେଇ ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି ।
ସୂଚନା ଯେ, ଗତ ରବିବାର ଦିନ ପ୍ରାୟ ୧୨ଟା ବେଳେ ଶ୍ରୀ ମାଝୀ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି କାର୍ଯ୍ୟାଳୟରେ ଆୟୋଜିତ ଭାରତୀୟ ମଜଦୁର ସଂଘର ବୈଠକରେ ଯୋଗଦେଇ ନିଜ ଫର୍ଚୁନର କାର୍ରେ ଫେରୁଥିଲେ। ମଣ୍ଡୁଆ ଯୋଗାଣ ବିଭାଗ ଗୋଦାମ ରାସ୍ତା ନିକଟ ଜାତୀୟ ରାଜପଥ ପାଖରେ ଦୁଇଜଣ ଅଜଣା ବ୍ୟକ୍ତି ଏକ ବାଇକ୍ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ। ଗାଡ଼ିରେ ଥିବା ବିଧାୟକ, ପିଏସ୍ଓ, ପିଏ ଓ ଡ୍ରାଇଭର ଓହ୍ଲାଇଯିବା ପରେ ଦୁର୍ବୃତ୍ତମାନେ ପୁଣି ଆଉ ଏକ ବୋମା ଗାଡ଼ି ଉପରକୁ ଫିଙ୍ଗିଥିଲେ। ବୋମାମାଡ଼ କରିବା ପରେ ମୋହନଙ୍କ ପିଏସ୍ଓ ଦୁର୍ବୃତ୍ତଙ୍କ ପିଛା କରିଥିଲେ। କିନ୍ତୁ ଦୁଇ ଦୁର୍ବୃତ୍ତ ନରଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ମୋହନ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଏଭଳି ଷଡଯନ୍ତ୍ର କରିଥାଇ ପାରନ୍ତି ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ। ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ଘଟଣାର ତଦନ୍ତ ପାଇଁ କେନ୍ଦୁଝର ଯାଇଥିଲେ। ସେ ଘଟଣାସ୍ଥଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀମାନଙ୍କ ସହ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ତଦନ୍ତର ଦିଗ ଠିକ ଦିଗରେ ଯାଉଥିବା କହିବା ସହ ଅତିଶୀଘ୍ର ଅପରାଧୀ ଧରା ପଡିବେ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଏହି ବୋମା ମାଡ ପ୍ରତିବାଦରେ କେନ୍ଦୁଝର ବିଜେପି ଦଳ ପକ୍ଷରୁ ଦୁଇ ଦୁଇଥର ସହର ମଧ୍ୟରେ ୪୯ ଓ ୨୦ ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳି ଗାନ୍ଧି ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଏହାଛଡ଼ା ବିଜେପି ଦଳ ପକ୍ଷରୁ ୯ ଜଣ ବିଧାୟକଙ୍କର ଏକ ଡେଲିଗେସନ ଟିମ୍ କେନ୍ଦୁଝରଠାରେ ଆସି ପହଞ୍ଚିବା ସହ ଏସ୍ପିଙ୍କ ସହ ସର୍କିଟ ହାଉସ ଠାରେ ଆଲୋଚନା କରିଥିଲେ । ଏସ୍ପି ରାସ୍ତା ଅବରୋଧ ହଟାଇବା ସହ ୭ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ।
