କେନ୍ଦ୍ରାପଡା କଲେଜ ପ୍ରାକ୍ତନ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗର ପ୍ରାଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ଡଃ. କିଶୋର ଚନ୍ଦ୍ର ସାହୁଙ୍କର ସୋମବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦଘାତରେ ୮୭ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ସାହୁଙ୍କ ମରଶରୀରକୁ ମଙ୍ଗଳବାର ସକାଳେ ମହାବିଦ୍ୟାଳୟ କ୍ୟାମ୍ପସ ପରିକ୍ରମା କରାଯାଇଥିଲା । ମହାବିଦ୍ୟାଳୟ ପକ୍ଷରୁ ଭାରପ୍ରାପ୍ତ ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସ୍ୱର୍ଗତ ସାହୁଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଏକ ଶୋକସାଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷଙ୍କ ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଶୋକ କୁମାର ଦାସ, ରଞ୍ଜିତ କୁମାର ଦାସ, ଜ୍ଞାନୀନ୍ଦ୍ର ଦାଶଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ପ୍ରାକ୍ତନ ଛାତ୍ର ରାଜେଶ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ସାହୁଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଏଭଳି ସମୟରେ ତାଙ୍କ ପରିବାରଜନଙ୍କୁ ପ୍ରଭୁ ଶ୍ରୀବଳଦେବଜୀଉ ସହାୟ ହୁଅନ୍ତୁ ବୋଲି କାମନା କରାଯାଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଝିଅ ଲକ୍ଷ୍ମୀପ୍ରିୟା ନାୟକ, ଜାମାତା ଡଃ. ଚିତ୍ତରଞ୍ଜନ ନାୟକ, ଡଃ. ସୁରେନ୍ଦ୍ର କୁମାର ମଲ୍ଲିକ, ବିବେକାନନ୍ଦ ମହାନ୍ତିଙ୍କ ସମେତ ପୁତୁରା ଓ ଝିଆରୀମାନେ ଉପସ୍ଥିତ ଥିଲେ । ୨୦୦୩ ମସିହାରେ ଅବସର ଗ୍ରହଣ କରିଥିବା ଡଃ. ସାହୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସମମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ସେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ରାଜେଶ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ନାତି ପୁଣ୍ୟଶ୍ଳୋକ ନାୟକ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟରେ ତାଙ୍କ ପ୍ରିୟ ଶିସ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ଯୋଗଦେଇଥିଲେ ।
