ରାଜଧାନୀରୁ ହଟିଲା କରୋନା କଟକଣା! ହଟିଲା ରାତ୍ରିକାଳୀନ କର୍ଫ୍ୟୁ, ପୂର୍ଣ୍ଣକାଳୀନ ଢଙ୍ଗରେ ଖୋଲିବ ସ୍କୁଲ
ମାସ୍କ ଫାଇନ ୫୦୦ ଟଙ୍କାକୁ ଖସିଲା
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନାଇଟ କର୍ଫ୍ୟୁ ସମେତ ସମସ୍ତ କଟକଣାକୁ ହଟାଇଦେଇଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଏପ୍ରିଲ ୨ ତାରିଖରୁ ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ଅଫଲାଇନରେ କ୍ଲାସ ଆରମ୍ଭ ହେବ । ଏଥିସହ ମାସ୍କ ନ ପିନ୍ଧିଲେ ୨୦୦୦ଟଙ୍କା ଜରିମାନା ପରିବର୍ତ୍ତେ ୫୦୦ଟଙ୍କାକୁ କମାଇ ଦିଆ ଯାଇଛି । ଦିଲ୍ଲୀର ଆସନ୍ତା ସୋମବାର ଠାରୁ, ରାତ୍ରୀ କର୍ଫ୍ୟୁ ସହିତ ସମସ୍ତ କରୋନା ପ୍ରତିବନ୍ଧକ ହଟାଯିବ ।ଏହା ସହିତ ବସ୍ ଏବଂ ମେଟ୍ରୋରେ ଛିଡା ହୋଇ ଯାତ୍ରା ପାଇଁ ଅନୁମତି ଦିଆଯିବ । ଦୋକାନ ଏବଂ ରେଷ୍ଟୁରାଣ୍ଟ ଖୋଲିବାର ସମୟରେ ମଧ୍ୟ କୌଣସି କଟକଣା ରହିବ ନାହିଁ । ଅରବିନ୍ଦ କେଜ୍ରିୱାଲ ଟୁଇଟ୍ କରି କହିଛନ୍ତି ଯେ କଟକଣା କାରଣରୁ ଲୋକମାନେ ଚାକିରୀ ହରାଉଛନ୍ତି । ଏହା ଫଳରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଦିଲ୍ଲୀ ସରକାର ସମସ୍ତ କଟକଣାକୁ ହଟାଇନେଇଛନ୍ତି ।
ବର୍ତ୍ତମାନ ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର ଜନଜୀବନକୁ ସ୍ୱାଭାବିକ କରିବାକୁ ଚାହୁଁଛନ୍ତି। ଏଥିପାଇଁ କଟକଣା ସବୁ ହଟାଉଛନ୍ତି। ଏଣିକି ଲୋକମାନେ ବସ୍ ଓ ମେଟ୍ରୋରେ ଛିଡ଼ା ହୋଇ ମଧ୍ୟ ଯାଇପାରିବେ। ଏହାର ଅର୍ଥ ଏଠାରେ ସିଟିଂ କ୍ଷମତା ପାଇଁ ଲାଗୁ କଟକଣା ହଟାଇ ଦିଆଯାଇଛି। ପୂର୍ବରୁ ମେଟ୍ରୋ ଓ ବସରେ କେବଳ ସିଟ୍ ଯେତିକି ସେତିକି ଲୋକଙ୍କୁ ଯାତ୍ରା କରିବାର ଅନୁମତି ମିଳୁଥିଲା। ଦିଲ୍ଲୀରେ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲିବା ଓ ବନ୍ଦ କରିବା ସମୟ ଉପରେ ଲାଗିଥିବା କଟକଣା ହଟିଛି। ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, କରୋନା ସଂକ୍ରମଣ ନିୟମିତ ଭାବେ ହ୍ରାସ ପାଉଥିବାରୁ ଡିଡିଏମ ସମସ୍ତ ପ୍ରକାରର କଟକଣାକୁ ହଟାଇ ଦେଇଛି। କଟକଣା ଯୋଗୁ ଲୋକମାନେ ଚାକିରି ହରାଇବା ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ କିନ୍ତୁ ଆଉ କୌଣସି କଟକଣା ରହିବ ନାହିଁ। ତେବେ କଟକଣା ହଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ପାଳନ କରିବାକୁ କହିଛନ୍ତି।
