ହସ୍ପିଟାଲରେ ଅଘଟଣ : ୪ ନବଜାତ ମୃତ, ୩୬ ଉଦ୍ଧାର
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ହସ୍ପିଟାଲରେ ନିଆଁ ଲାଗିଛି। ହମିଦିଆ ହସ୍ପିଟାଲ ପରିସରରେ ଥିବା କମଳା ନେହେରୁ ହସ୍ପିଟାଲର ଶିଶୁ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ସୋମବାର ରାତି ପ୍ରାୟ ୯ଟା ବେଳେ କମଳା ନେହରୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪ ଜଣ ନିରିହ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬ ଶିଶୁଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।
ସୋମବାର ରାତିରେ କମଲା ନେହରୁ ହସ୍ପିଟାଲ ବିଲଡିଂର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘିଟିଥିଲା। ନିଆଁ ହସ୍ପିଟାଲର ଶିଶୁ ୱାର୍ଡରେ ଲାଗିଥିଲା। ଅଗ୍ନିକାଣ୍ଡ ଘଟିଥବା ୱାର୍ଡରେ ୪୦ ଜଣ ଶିଶୁ ଭର୍ତ୍ତି ହୋଇଥିଲେ। ଯେଉଁଥିରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପ୍ରାୟ ତିନି ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ରାତି ସାଢେ ୧୨ରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱ ସାରଙ୍ଗ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ହସ୍ପିଟାଲ ଓ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଉଦ୍ଧାର ୩୬ ଜଣ ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୃତ ୪ ଶିଶୁଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯେ, ଗତ ଶନିବାର ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ହସ୍ପିଟାଲରେ ଏକ ଅଘଟଣ ଘଟିଥିଲା। କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।
