ପଂଚଭୂତରେ ବିଲୀନ ହେଲେ କଲ୍ୟାଣ ସିଂ
ଲକ୍ଷ୍ନୌ/ ଆଲିଗଡ : ଶ୍ରୀରାମ ମନ୍ଦିର ଆନ୍ଦୋଳନର ନାୟକ , ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ ଆଜି ପଂଚତତ୍ୱରେ ମିଶିଛନ୍ତି । ତାଙ୍କ ପୈତୃକ ଘର ଆଲିଗଡ ଜିଲ୍ଲା ନିକଟ ନରୋରାର ଗଙ୍ଗା କୂଳରେ ବୈଦିକ ନୀତିଏବଂ ରାଜ୍ୟ ସମ୍ମାନ ସହିତ ତାଙ୍କର ସଂସ୍କାର କରାଯାଇଥିଲା । ପୁଅ ରାଜବୀର ସିଂ ମୁଖାଗ୍ନି ଦେଇଥିଲେ ।
ଏହି ଅବସରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବରିଷ୍ଠ ନେତା କଲ୍ୟାଣ ସିଂଙ୍କୁ ବିଦାୟ ଜଣାଇଥିଲେ । ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହି ସମୟରେ, ନରୋରା ଗଙ୍ଗା କୂଳରେ ରାମ ଭକ୍ତ କଲ୍ୟାଣ ସିଂ ଅମର ରହେଙ୍କ ସ୍ଲୋଗାନରେ ଗୁଂଜରି ଉଠିଥିଲା । କଲ୍ୟାଣ ସିଂଙ୍କ ମୃତଦେହକୁ ରବିବାର ଦିନ ରାଜଧାନୀ ଲକ୍ଷେ୍ନ øରୁ ତାଙ୍କ କାର୍ଯ୍ୟକ୍ଷେତ୍ର ଆଲିଗଡକୁ ଅଣାଯାଇଥିଲା । ସେଠାରୁ ତାଙ୍କ ଜନ୍ମ ଗ୍ରାମ ଅତରୋଲିକୁ ଅଣାଯାଇଥିଲା । ସ୍ଥାନୀୟ ଲୋକ ଏକତ୍ରିତ ହୋଇ ସେମାନଙ୍କ ନେତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ ପାଇଁ ଆଲିଗଡରୁ ନରୋରା ଘାଟ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକ ଥିଲେ । ସେମାନଙ୍କର ନେତାଙ୍କ ଶେଷ ଝଲକ ଦେଖିବାକୁ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଗତ ଶନିବାର ରାତିରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ସ୍ନାତକୋତର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ରେ କଲ୍ୟାଣ ସିଂଙ୍କର ମୃତ୍ୟୁ ଘଟିଥିଲା ।
