ଆଜି ଓ ଆସନ୍ତାକାଲି ପାଳନ ହେବ ‘କଳିଙ୍ଗ ଉତ୍ସବ-୨୦୨୨’
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପାଳନ ହେବାକୁ ଯାଉଛି କଳିଙ୍ଗ ଉତ୍ସବ -୨୦୨୨। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ଉତ୍ସବ ପାଳନ ହେବ। ରାଜ୍ୟର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳାକୁ ଲୋକ ଲୋଚନକୁ ଆଣିବାରେ କଳିଙ୍ଗ ଉତ୍ସବ ଏକ ଉତ୍ସାହଜନକ ପଦକ୍ଷେପ।
କଳିଙ୍ଗ ଉତ୍ସବ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଫେସର ଉମା ନନ୍ଦୁରୀ ଓ ଆଇଜିଏନସିଏର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀଙ୍କ ଓଡ଼ିଶାର ସମୃଦ୍ଧି, ଐତିହ୍ୟ ତଥା ବିବିଧ ସଂସ୍କୃତିକୁ ପାଳନ କରିବା ପାଇଁ ଏକ ଅନନ୍ୟ ଚିନ୍ତାଧାରା। ଭାରତ ସରକାରଙ୍କ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିବେ। ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ ମଧ୍ୟ ଏହି ଉତ୍ସବର ଅଂଶ ହେବ। ଗଡବା, ଓରାମ, ସନ୍ଥଲି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟ ପ୍ରଦର୍ଶନ ସହ ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦର ୧୨ଟି ଷ୍ଟଲ୍ ସ୍ଥାପନ ହେବ। ଏଥିରେ ଶହୀଦଙ୍କ ପରିବାରକୁ ଅନୁଦାନ ଏବଂ ସମ୍ମାନ ସହ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ।
