ଏହି ଦିନ ମିଳିବ ‘କାଳିଆ’ ସହାୟତା, ୪୧ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୮୦୦ କୋଟି ଟଙ୍କା
ଭୁବନେଶ୍ୱର : ପାର୍ବଣ ଋତୁରେ ରାଜ୍ୟର କୃଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉପହାର ଦେବାକୁ ଯାଉଛନ୍ତି। ନୂଆଁଖାଇରେ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ଦିଆଯାଇପାରେ। ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ। ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି। ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ‘କାଳିଆ’ ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବଣ୍ଟା ହେବାକୁ ରହିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା। ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇଛି। ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟାଯିବାକୁ ପ୍ରକ୍ରିୟା ଚାଲିଛି।
କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ଯ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ‘କାଳିଆ’ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ମାଧ୍ୟମରେ ଚାଷୀମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୁହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା କୃଷି ଭିତ୍ତିକ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବ।
‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା। ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ଵାରା କୃଷିର ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ।
ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇଛି। ଏଥିରେ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ଯରୁ ମୁକ୍ତ କରିବା ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ‘କାଳିଆ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସର ଭୁକ୍ତ କରିବା ପାଇଁ ବ୍ୟବସ୍ତା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଏହି ସମସ୍ତ ହିତାଧିକାରୀ ବ୍ଯାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି।
କାଳିଆ ଯୋଜନାରେ ସୁବିଧା :–
ଚାଷକାର୍ଯ୍ୟ ପାଇଁ ସହାୟତା :
ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ମୋଟ୍ ୨୫୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହା ୫ ଗୋଟି ଫସଲର ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ଯାନ୍ଯ କାର୍ଯ୍ୟ ନିମନ୍ତେ ଦିଆଯିବ। ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି।
ଜୀବିକା ପାଇଁ ସହାୟତା :
ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷିଭିତ୍ତିକ ଆନୁଷଙ୍ଗିକ କାର୍ଯ୍ୟ ଯଥା- କ୍ଷୁଦ୍ର ଛେଳିପାଳନ ୟୁନିଟ୍, କ୍ଷୁଦ୍ର କୁକୁଡା ପାଳନ ୟୁନିଟ, ବତକ ପାଳନ ୟୁନିଟ୍, ମତ୍ସ୍ୟଜୀବୀମାନଙ୍କୁ ମାଛଧରା ଉପକରଣ, ଛତୁଚାଷ ଓ ମହୁଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବର ବ୍ୟବସ୍ଥା ଅଛି। ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବେ ସହାୟ ହେବ।
ଅସମର୍ଥ କୃଷି ପରିବାର ଏବଂ ଭୂମିହୀନ ଶ୍ରମିକଙ୍କୁ ସହାୟତା :
ଯେଉଁ କ୍ଷୁଦ୍ର, ନାମମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବର୍ଦ୍ଧକ୍ଯ, ଅକ୍ଷମତା କିମ୍ବା ରୋଗଦ୍ବାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାର ଜୀବିକା ନିର୍ବାହ କରିବା ପାଇଁ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ।
କୃଷକ ଏବଂ ଭୂମିହୀନ ଶ୍ରମିକଙ୍କ ପାଇଁ ଜୀବନ ବୀମା ସୁବିଧା :
ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତ୍ୟୁ ବା ଅକ୍ଷମତା ପରେ ତାଙ୍କର ପରିବାରର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଦୁରାବସ୍ଥା ତଥା ଅନିଶ୍ଚିତତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନ ବୀମା ସହାୟତାର ବ୍ୟବସ୍ଥା କରାଯାଇଛି। ୧୮ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା କରାଯାଇଛି। ଏଥି ପାଇଁ ଧାର୍ଯ୍ୟ ବାର୍ଷିକ ପ୍ରିମିୟମ୍ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୧୬୫ ଟଙ୍କା ରାଜ୍ୟ ସରକାର ବହନ କରିବେ। ୧୮ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ଜନିତ ବୀମାର ବ୍ୟବସ୍ଥା ଅଛି। ଏଥି ପାଇଁ ଧାର୍ଯ୍ୟ ବାର୍ଷିକ ୧୨ ଟଙ୍କା ପ୍ରିମିୟମ୍ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୬ ଟଙ୍କା ଓ ୫୧ରୁ ୭୦ ବର୍ଷ ବୟସ୍କଙ୍କ ପାଇଁ ସମୁଦାୟ ୧୨ ଟଙ୍କା ରାଜ୍ୟ ସରକାର ବହନ କରିବେ।
ବିନା ସୁଧରେ ଫସଲ ଋଣ ଦେବାର ବ୍ୟବସ୍ଥା: ଖରିଫ ୨୦୧୯ ବର୍ଷ ଠାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ପ୍ରଦାନ କରାଯିବ ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛି।
