ନାବାଳକ ହତ୍ୟା ଘଟଣା : ମନ୍ଦିରକୁ ସିଲ୍ କଲା ପ୍ରଶାସନ, ୩ ପ୍ଲାଟୁନ ଫୋର୍ସ ମୁତୟନ
ଆଠମଲ୍ଲିକ : ଆଠମଲ୍ଲିକ ମଙ୍ଗଳାକୋଠୀରେ ନାବାଳକକୁ ହତ୍ୟା ଘଟଣା । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ନାବାଳକ ନିଖୋଜ ହୋଇଥିବା ମଙ୍ଗଳାକୋଠୀକ ସାଧିକା ରୀତାଞ୍ଜଳି ବାଘଙ୍କ ସହ ତାଙ୍କ ତିନି ପୁଅଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ତେବେ ନାବାଳକ ସଂଜୀବର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନି । ୨ ଜଣ ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି । ସେପଟେ ମଙ୍ଗଳାକୋଠିରେ ବୁଲିଛି ପ୍ରଶାସନର ଖଣ୍ଡା । କୋଠିରେ ନାଲିବତୀ ଲଗାଇବା ସହ କଳସ ଭାଙ୍ଗି ଦେଇଛି ସ୍ଥାନୀୟ ପ୍ରଶାସନ । ମଙ୍ଗଳା ମନ୍ଦିରକୁ ସିଲ କରାଯାଇ ସେଠାରେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଗତ ରବିବାର ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ମଙ୍ଗଳାକୋଠିରେ ଛାନଭିନ୍ କରିଥିଲେ। ମଙ୍ଗଳକୋଠିକୁ ଭାଙ୍ଗିବାକୁ ଦାବି ଜୋର ଧରିଥିବା ବେଳେ ଏନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୃତ ସଞ୍ଜୀବର ଦୁଇଟି ଆଖି ଏବଂ କିଡନୀ ଗାଏବ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏଣେ ଏହା ନରବଳି ନା ଆଉ କିଛି ସେନେଇ ଏବେ ପୁଣି ସନ୍ଦେହ ଘନେଇଛି ।
