ଜୁନିୟର ବିଶ୍ୱକପ ହକି : କାନାଡାକୁ ୧-୦ ଗୋଲରେ ହରାଇଲା ପୋଲାଣ୍ଡ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜୁନିୟର ପୁରୁଷ ହକି ବିଶ୍ୱକପ। ବୁଧବାର ତୃତୀୟ ମୁକାବିଲାରେ ପୋଲାଣ୍ଡ ୧-୦ ଗୋଲରେ କାନାଡାକୁ ହରାଇଛି। ପୋଲାଣ୍ଡ ବିଜୟ ସହ ୩ ପଏଣ୍ଟ ହାସଲ କରିଛି ।
ଗ୍ରୁପ୍-ବି’ର ଏକ ମ୍ୟାଚରେ ପୋଲାଣ୍ଡର ସାମ୍ନା କାନାଡା ସହ ହୋଇଥିଲା। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟରରେ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଉଭୟଙ୍କ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ହେଲେ ଏହି କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଲଶୂନ୍ୟ ରହିଥିଲେ। ଏହାର ଭିତରେ ଉଭୟ ଦଳଙ୍କୁ ଦୁଇଟି ଲେଖାଏ ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ସୁଦ୍ଧା ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଦ୍ୱିତୀୟାର୍ଦ୍ଧରେ ପୋଲାଣ୍ଡ ଆରମ୍ଭରୁ ଆଟାକ୍ କରିଥିଲା। ଆଉ ଏହାର ପରିଣାମ ମଧ୍ୟ ଟିମକୁ ମିଳିଥିଲା। ମ୍ୟାଚର ୩୪ତମ ମିନିଟରେ ଏରିକ୍ ବେମ୍ବେନେକ୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଏଥିସହ ସେ ପୋଲାଣ୍ଡ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଥିଲା। ଶେଷ କ୍ୱାର୍ଟରରେ ଉଭୟ ଦଳ ଗୋଲ ଦେବାକୁ ପ୍ରୟାସ କରିଥିଲେ ହେଁ, ଏଥିରେ କେହି ସଫଳ ହୋଇନଥିଲେ। ଏହି ମ୍ୟାଚରେ ସମ୍ମାନିତ ଅତିଥି ଭାବେ ଯୋଗ ଆଥଲେଟ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଯୋଗ ଦେଇ ଖେଳାଳି ଓ ରେଫରୀଙ୍କ ସହ ପରିଚିତ ହୋଇଥିଲେ।
