ଜୁନିଅର ହକି ବିଶ୍ୱକପ : ଆଜି ଫ୍ରାନ୍ସ ବିପକ୍ଷରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍ ଖେଳିବ ଭାରତ
ଭୁବନେଶ୍ବର: ଚଳିତ ଏଫଆଇଏଚ ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ର ସେମିଫାଇନାଲରେ ପରାଜୟ ସହ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି ଭାରତ । ତେବେ ରବିବାର ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ବିପକ୍ଷରେ ଭାରତର ମୁକାବିଲା ରହିଛି। ନଭେମ୍ବର ୨୪ରେ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ ହୋଇଥିଲା ଓ ପ୍ରଥମ ମ୍ୟାଚ୍ ଫ୍ରାନ୍ସ ବିପକ୍ଷରେ ଖେଳିଥିବା ଟିମ ଇଣ୍ଡିଆ । ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ୫-୪ ଗୋଲ୍ରେ ଫ୍ରାନ୍ସ ବାଜିମାରି ନେଇଥିଲା ।
ଭାରତୀୟ ଟିମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ର ଫଳାଫଳ ବଦଳାଇବା ସହ ବ୍ରୋଞ୍ଜ ବିଜୟୀ ହେବାନେଇ ଆଶାବାଦୀ ଅଛନ୍ତି କୋଚ୍ ଗ୍ରାହାମ ରେଡ୍ । ମୁଖ୍ୟ କୋଚ୍ ରେଡ୍ କହିଛନ୍ତି, “ଏଯାବତ ଟୁର୍ନାମେଣ୍ଟରେ ରହିଥିବା ପ୍ରଦର୍ଶନରୁ ଅନେକ ସକରାତ୍ମକ ଶିକ୍ଷା ନେଇଛୁ । ରବିବାର ମ୍ୟାଚ୍ ପାଇଁ ଟିମ ପ୍ରସ୍ତୁତ । ଫ୍ରାନ୍ସ ବିପକ୍ଷରେ ବିଜୟ ନେଇ ଦୃଢ ଆଶାବାଦୀ । ଗ୍ରୁପ୍ ପର୍ଯ୍ୟାୟରେ ଫ୍ରାନ୍ସ ବିପକ୍ଷରେ ପରାଜୟ ପରେ ଭାରତ ଲଗାତାର ତିନୋଟି ମ୍ୟାଚ୍ ଜିତିବା ସହ ସେମିଫାଇନାଲରେ ପ୍ରବେଶ କରିଥିଲା । କାନାଡୁ ୧୩-୧, ପୋଲାଣ୍ଡ ବିପକ୍ଷରେ ୮-୨ ଓ ବେଲଜିୟମକୁ ୧-୦ରେ ହରାଇଥିଲା । ମାତ୍ର ସେମିଫାଇନାଲରେ ଜର୍ମାନୀ ଠାରୁ ୨-୪ ଗୋଲ୍ରେ ପରାସ୍ତ ହେବା ସହ ଆର୍ଜେଣ୍ଟିନା ସହ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି । ଅନ୍ୟପଟେ ଫ୍ରାନ୍ସ ପାଇଁ ମଧ୍ୟ ଏହି ଟୁର୍ନାମେଣ୍ଟ ଦମଦାର ରହିଥିଲା । ଗ୍ରୁପ୍ ବି ମ୍ୟାଚ୍ରେ ଭାରତକୁ ୫-୪, ପୋଲାଣ୍ଡ ବିପକ୍ଷରେ ୭-୧ ଓ କାନାଡାକୁ ୧୧-୧ ଗୋଲ୍ ସ୍କୋର ସହ ବଡ ବ୍ୟବଧାନରେ ହରଆଇ ସେମିକୁ ଉନ୍ନୀତ ହୋଇଥିଲା । ତେବେ ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ସୁଟ୍ଆଉଟ୍ରେ ୧-୩(୦-୦) ଗୋଲ୍ରେ ପରାସ୍ତ ହୋଇଥିଲା ।
