ଜୁନିଅର ହକି ବିଶ୍ୱକପ୍ : ଆଜି ସେମିଫାଇନାଲରେ ଭାରତ-ଜର୍ମାନି ମୁକାବିଲା
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଜୁନିଅର ପୁରୁଷ ହକି ବିଶ୍ବକପ୍ର ସେମିଫାଇନାଲ୍ରେ ଶୁକ୍ରବାର ଆୟୋଜକ ଭାରତ ଶକ୍ତିଶାଳୀ ଜର୍ମାନିକୁ ଭେଟିବ। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଫ୍ରାନ୍ସ ଓ ଆର୍ଜେଣ୍ଟିନା ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ୩୦ ଏବଂ ଭାରତ-ଜର୍ମାନି ଦ୍ବିତୀୟ ମ୍ୟାଚ୍ ରାତି ୭ଟା ୩୦ରୁ ଆରମ୍ଭ ହେବ। ଉଭୟ ମ୍ୟାଚ୍ର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସରେ ହେବ। ବୁଧବାର ଭାରତ ତୀବ୍ର ସଂଘର୍ଷପୂର୍ଣ୍ଣ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ୧-୦ ଗୋଲ୍ରେ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲ୍ ଟିକେଟ ହାସଲ କରିଥିଲା। ଜର୍ମାନି ଅନ୍ୟ ଏକ ଉତ୍କଣ୍ଠାପୂର୍ଣ୍ଣ କ୍ବାର୍ଟର ଫାଇନାଲ୍ରେ ସ୍ପେନ୍କୁ ୩-୧ (୨-୨) ଗୋଲ୍ରେ ସୁଟ୍ଆଉଟ୍ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଭାରତ ପଞ୍ଚମ ଥର ପାଇଁ ସେମିଫାଇନାଲ୍ ପ୍ରବେଶ କରିଥିଲା ବେଳେ ୬ ଥର ବିଜେତା ଜର୍ମାନି ଏକାଦଶ ଥର ପାଇଁ ସେମିଫାଇନାଲ୍ ଖେଳିବାକୁ ଯାଉଛି।
ଟ୍ରଫି ବିଜୟ ଦୃଷ୍ଟିରୁ ମଧ୍ୟ ଭାରତଠାରୁ ଜର୍ମାନି ଢେର ଆଗରେ ରହିଛି। ଭାରତ ୨ ଥର ବିଶ୍ବକପ୍ ଜିତିଛି। ସେପଟେ ଜର୍ମାନି ୬ ଥର ବିଶ୍ବବିଜେତା ହୋଇଛି। ତଥାପି ବେଲଜିୟମ ବିପକ୍ଷ ମନୋବଳବୃଦ୍ଧିକାରୀ ବିଜୟ ପରେ ଭାରତ ଶୁକ୍ରବାର ଆଉ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି। ବଡ଼ କଥା ହେଲା ୨୦୧୬ ଲକ୍ଷ୍ନୌରେ ଖେଳାଯାଇଥିବା ଗତ ସଂସ୍କରଣରେ ଭାରତ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ଏଥର ମଧ୍ୟ ଘରୋଇ ପରିବେଶରେ ଖେଳୁଥିବାରୁ ଲଗାତାର ଦ୍ବିତୀୟବାର ଏବଂ ମୋଟ ଉପରେ ତୃତୀୟ ଥର ବିଶ୍ବକପ୍ ତୋଳି ଧରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସେହିଭଳି ଭାରତ ପୁଲ୍-ବି’ର ଦ୍ବିତୀୟ ସ୍ଥାନ ଦଳ ଭାବେ କ୍ବାର୍ଟର ଫାଇନାଲ୍କୁ ଯାଇଥିଲା। ସେପଟେ ପୁଲ୍-ଡି’ର ବିଜେତା ଭାବେ ଜର୍ମାନି କ୍ବାର୍ଟର ଫାଇନାଲ୍ ଖେଳିଥିଲା।
ବେଲଜିୟମ ବିପକ୍ଷ କ୍ବାର୍ଟର ଫାଇନାଲ୍ରେ ଭାରତର ରକ୍ଷଣଭାଗ ତ୍ରୁଟିହୀନ ଖେଳ ଖେଳିଥିଲା। ପ୍ରତିଆକ୍ରମଣରେ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଭାରତ ମଧ୍ୟ ବେଲଜିୟମକୁ ବାରମ୍ବାର ଚକିତ କରିଥିଲା। ଯାହାର ଫଳ ସ୍ବରୂପ ଗୋଟିଏ ଗୋଲ୍ରେ ବିଜୟୀ ହୋଇ ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ଜର୍ମାନି ବିପକ୍ଷରେ ମଧ୍ୟ ଆୟୋଜକ ଭାରତକୁ ଏହି ରଣନୀତି ଆପଣାଇବାକୁ ହେବ। ପ୍ରଶିକ୍ଷକ ଗ୍ରାହାମ ରିଡ୍ଙ୍କ ରଣନୀତିକୁ ସଠିକ୍ ଭାବେ ଉପଯୋଗ କରିପାରିଲେ ହିଁ ଜର୍ମାନି ରୂପକ ବଡ଼ ବାଧାକୁ ଅତିକ୍ରମ କରି ଫାଇନାଲ୍ ଟିକେଟ ହାସଲ କରି ପାରିବ। କାରଣ ଜର୍ମାନି ଟିକିଏ ବି ଦୁର୍ବଳତା ପାଇଲେ ଘାଇଲା ବାଘ ଭଳି ମାଡ଼ି ବସିବାର ଦକ୍ଷତା ରଖେ।
ଶୁକ୍ରବାର ଭାରତ ପାଇଁ ଦୁଇ ଗୋଲ୍ ରକ୍ଷକ ପ୍ରଶାନ୍ତ କୁମାର ଚୌହ୍ବାନ ଓ ପବନଙ୍କ ସହ ଅରିଜିତ ସିଂହ ହୁଣ୍ଡାଲ, ସଂଜୟ, ଅଧିନାୟକ ବିବେକ ସାଗର ପ୍ରସାଦ ଏବଂ ଓଡ଼ିଆ ତାରକା ସୁଦୀପ ଚିର୍ମାକୋଙ୍କ ପ୍ରଦର୍ଶନ ଢେର ମହତ୍ବ ରଖିବ। ଅନ୍ୟ ଦୁଇ ଓଡ଼ିଆ ତାରକା ସୁନିଲ ଯୋଯୋ ଓ ଅଭିଷେକ ଲାକ୍ରା ମଧ୍ୟ ନିର୍ଣ୍ଣାୟକ ଭୂମିକା ନେବେ। ୟଶଦୀପ ସିୱାଚ, ଶାରଦାନନ୍ଦ ତିୱାରୀ ଓ ଉତ୍ତମ ସିଂହଙ୍କ ଭଳି ଖେଳାଳି ଜର୍ମାନି ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବାକୁ ପୂରା ସକ୍ଷମ। ଅନ୍ୟପକ୍ଷରେ ଜର୍ମାନି ୨୦୧୩ ମସିହାରେ ନୂଆଦିଲ୍ଲୀଠାରେ ଶେଷ ଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଜିତିଥିଲା। ଏହାପରଠାରୁ ୨୦୧୬ ମସିହାର ତୃତୀୟ ସ୍ଥାନ ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଆସିଛି। ଏଣୁ ଭାରତକୁ ହରାଇବା ଏହି ଦଳ ପାଇଁ ଆଦୌ ସହଜ ହେବନି। ତେବେ ସବୁକିଛି ବାତ୍ୟା ସ୍ଥିତି ଉପରେ ନିର୍ଭର କରିବ। ଶୁକ୍ରବାର ବାତ୍ୟା ଜୱାଦର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଏହା ମ୍ୟାଚ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି।
