୨୪ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ : ଭାରତୀୟ ଟିମ୍ ରେ ୩ ଓଡିଆ
- ଜୁନିୟର ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ୍ । ଏହା ପୂର୍ବରୁ ଗୁରୁବାର ଜୁନିୟର ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିବେକ୍ ସାଗର ପ୍ରସାଦଙ୍କ ନେତୃତ୍ୱାଧୀନ ଏହି ଟିମରେ ସୁନିଲ ଜୋଜୋ, ସୁଦୀପ ଚିରିମାକୋ ଓ ଅଭିଷେକ ଲାକ୍ରା ସ୍ଥାନ ପାଇଛନ୍ତି ।
କ୍ରୀଡ଼ାସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇ କହିଛନ୍ତି, ଆଗାମୀ ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ ଆୟୋଜିତ ହେବ । ଏଥିରେ ୧୬ଟି ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବେ । ଏଥିସକାଶେ ଭାରତୀୟ ଟିମ୍ ଭୁବନେଶ୍ୱରରେ ପହଂଚିସାରିଛି । ୧୫ ତାରିଖରେ ଅନ୍ୟସବୁ ଟିମ୍ ଭୁବନେଶ୍ୱରରେ ପହଂଚିବେ । ବାୟୋ ବବଲ ପ୍ରକ୍ରିୟାରେ ବିଶ୍ୱକପ ଅନୁଷ୍ଠିତ ହେବ । କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଂଟରେ ଦର୍ଶକମାନଙ୍କୁ ଷ୍ଟାଡିୟମକୁ ଆସିବାକୁ ବାରଣ କରାଯାଇଛି । ଖେଳାଳି ଓ ଷ୍ଟାଫମାନଙ୍କ ପ୍ରତିଦିନ ଆରଟିପିସିଆର୍ ଟେଷ୍ଟ ହେବ । ଖେଳାଳି ଓ ଟିମ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସଂରକ୍ଷଣ ରଖାଯାଇଛି । ନିରାଡ଼ମ୍ବରରେ ଜୁନିଅର ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ହେବ । ଭାଗ ନେଉଥିବା ଟିମ୍ ଗୁଡ଼ିକ ହେଲେ- ଆୟୋଜକ ଭାରତ, ଆର୍ଜେଂଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିୟା, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡସ୍ ଓ ଆମେରିକା । ପ୍ରଥମ ୫ ଦିନ ପୁଲ୍ ଷ୍ଟେଜ୍ ମ୍ୟାଚ୍ ଖେଳାଯିବ । ଏହାପରେ ନଭେମ୍ବର ୩୦ରୁ ଅନ୍ୟ ମ୍ୟାଚ୍ ହେବ । ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୩ରେ ସେମି ଫାଇନାଲ ଏବଂ ଡିସେମ୍ବର ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।
ଭାରତୀୟ ସ୍କ୍ୱାଡ୍: ଶାରଦାନନ୍ଦ ତିୱାରୀ, ପ୍ରଶାନ୍ତ ଚୌହାନ୍ (ଗୋଲକିପର), ସଞ୍ଜୟ (ଭାଇସ୍ କ୍ୟାପଟେନ), ସୁପୀର ଚିରମାକୋ, ରାହୁଲ କୁମାର ରାଜଭର, ମନିନ୍ଦର ସିଂହ, ପବନ (ଗୋଲ କିପର), ବିଷ୍ଣୁକାନ୍ଦ ସିଂହ, ଅଙ୍କିତ ପାଲ୍, ଉତ୍ତମ ସିଂହ, ସୁନୀଲ ଜୋଜୋ, ମନଜିତ୍, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିବେକ ସାଗର ପ୍ରସାଦ (କ୍ୟାପଟେନ୍), ଅଭିଷେକ ଲାକ୍ରା, ଯଶଦୀପ ସିୱାଚ୍, ଗୁରମୁଖ ସିଂହ, ଆରାଇଜିତ୍ ସିଂହ ହୁନ୍ଦାଲ ।

