ବିଜେପିର ପ୍ରଶିକ୍ଷଣ ଶିବିରରେ ସାମ୍ବାଦିକଙ୍କୁ ଠେଲାପେଲା
ପୁରୀ ଅଫିସ : ପୁରୀ ସମୁଦ୍ରକୂଳରେ ଥିବା ଏକ ଘରୋଇ ହୋଟେଲରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଶିକ୍ଷଣ ଶିବିର ୧୩ରୁ ଆରମ୍ଭ ହୋଇଛି । ଉଦ୍ଘାଟନି ସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା କରିବା,ବୁମ ଛଡ଼ାଇବା ଓ ଲାଇଭ ଚାଲିଥିବା ବେଳେ ବନ୍ଦ କର କହି ସାମ୍ବାଦିକଙ୍କୁ ଠେଲି ଠେଲି ନବା ଘଟଣାକୁ ସାମ୍ବାଦିକମାନେ ନିନ୍ଦା କରିଛନ୍ତି । ପ୍ରଶିକ୍ଷଣ ଶିବିରରେ କଣ ଗଣନେତା ଗଣମାଧ୍ୟମକୁ ଦୁର୍ବ୍ୟବହାର କରିବା ପାଇଁ ଟ୍ରେନିଂ ଦିଆଯାଉଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ନକ୍ଷତ୍ର ନ୍ୟୁଜ୍ ର ସାମ୍ବାଦିକ ପିଂଟୁ ସାହୁଙ୍କୁ ଜଣେ ବିଜେପି କର୍ମୀ ଧକ୍କା ମାରି ବାହାରକୁ ଯିବା ପାଇଁ ଧମକ ଦେବା ଘଟଣାକୁ ପ୍ରଶିକ୍ଷଣ ଶିବିରରେ ଥିବା ବିଭିନ୍ନ ପଦାଧିକାରୀମାନେ ଦେଖୁଥିଲେ ମଧ୍ୟ ନିରବଦ୍ରଷ୍ଟା ହୋଇ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଠାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ । ଯାହାଫଳରେ ସେଠାରେ ସାମ୍ବାଦିକଙ୍କ କଣ୍ଠରୋଧ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ବିଜେପି କର୍ମୀମାନେ ସେଠାରେ ଏଭଳି ପରିସ୍ଥିତ ସୃଷ୍ଟି କରିଥିଲେ ଯେ ସାମ୍ବାଦିକ ଜଣକ ବାଧ୍ୟ ହୋଇ ଲାଇଭ ବନ୍ଦ କରି ଫେରି ଆସିଥିଲେ । ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ବିଜେପି ଓଡ଼ିଶାରେ ପାୱାରରେ ନଥିବା ବେଳେ ଯଦି ଏଭଳି ଦାଦାଗିରି କରୁଛି ତେବେ ପାୱାରକୁ ଆସିଲେ ଆହୁରି କଣ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
