ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଲେଶ୍ୱରର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଶିବିରରେ ମୋଟ ୧୨୧ଗୋଟି ଆପତ୍ତି ଅଭିଯୋଗର ଶୁଣାଣି ହୋଇଥିଲା ।
ଆସିଥିବା ଆପତ୍ତି ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା, ଅଙ୍ଗନୱାଡ଼ିରେ ନିଯୁକ୍ତି ଜାଲିଆତି, କଂକ୍ରିଟ ରାସ୍ତା ବେଆଇନ୍ ଭାବେ ନିର୍ମାଣ, ରାସନ କାର୍ଡ଼, ଜଙ୍ଗଲ ଜମିର ପଟ୍ଟା, ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା, ନୀଳଗିରି ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ରାସ୍ତା କାର୍ଯ୍ୟ ମନ୍ଥରତା, ନରଣପୁର ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତି ତଦନ୍ତ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଏବଂ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ୨ଜଣ ଭିନ୍ନକ୍ଷମଙ୍କୁ ଜିଲାପାଳ ଶ୍ରୀ ଶିନ୍ଦେ ହୁଇଲ ଚେୟାର ପ୍ରଦାନ କରିଥିଲେ । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର ନାୟକ, ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବ, ନୀଳଗିରି ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର ଅଶେଷ ନାୟକ, ବିଡିଓ ରାହୁଲ ମଣ୍ଡଳଙ୍କ ସମେତ ଜିଲା ଏବଂ ଉପଖଣ୍ଡସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ ।
