ଭଗ୍ନ ସ୍ତୁପରେ ଯୌଥ ପରିବାର
ଯୌଥ ପରିବାରର ଅର୍ଥ ସଂଯୁକ୍ତ ପରିବାର ବା Joint Family । ଏହା ବହୁ ପୁରାତନ କାଳରୁ ବିଶେଷ କରି ଭାରତରେ ପ୍ରଚଳିତ । ଭାରତରେ ଦୁଇପ୍ରକାର ଯୌଥ ପରିବାର ଦେଖିବାକୁ ମିଳେ । ଯଥା- Metrilocal Joint Family ଓ ଅନ୍ୟଟି Petrilocal Joint Family । ପ୍ରଥମେ Joint Family ଟି ଭାରତର କେରଳ ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ଅନ୍ୟଟି ଭାରତର ଆଉ ସମସ୍ତ ସ୍ଥାନରେ ଦେଖିବାକୁ ମିଳେ । ଯୌଥ ପରିବାର ଯେ କେବଳ ଭାରତରେ ଅଛି ତାହା ନୁହେଁ, ବରଂ ଏହା ଇଷ୍ଟ ଓ ସାଉଥ୍ ଏସିଆରେ ଏବଂ ବିଶେଷ କରି ଆଫ୍ରିକାରେ ବେଶି ଦେଖିବାକୁ ମିଳେ । ସେ ଯାହା ହେଉନା କାହିଁକି ଭାରତୀୟ ଯୌଥ ପରିବାରର ସମ୍ପର୍କ ଅତି ନିବିଡ଼ ଓ ମହାନ । ଏହି ପରିବାରରେ ବୟସ୍କ ଓ ବୃଦ୍ଧ ବ୍ୟକ୍ତିମାନେ ମୁଖ୍ୟ ହିସାବରେ ବିବେଚନା ହ୍ରୁନ୍ତି । ତାଙ୍କର ଆଦେଶ ଏଠାରେ ଆଇନ୍ ଭଳି କାର୍ଯ୍ୟ କରେ । ତାଙ୍କର ଈଶାରା ପରିବାରର ନିଷ୍ପତ୍ତି । ପରିବାରର ସମସ୍ତ ବ୍ୟକ୍ତି ତାଙ୍କୁ ନମ୍ରତାର ସହ ଭକ୍ତି କଲାବେଳେ ସେ ମଧ୍ୟ ସମସ୍ତଙ୍କୁ ସ୍ନେହ ଦେଉଥାନ୍ତି । ଏହି ପରିବାରଟି ପରିବାର ମୁଖ୍ୟର ସ୍ତ୍ରୀ, ଭାଇ, ଭାଇବଧୂ, ପୁତ୍ର, ପୁତ୍ରବଧୂ, ନାତି, ନାତୁଣୀ ନେଇ ଗଠିତ । ଦେଖିବାକୁ ଗଲେ ପ୍ରାଚୀନ ମଧ୍ୟଯୁଗରେ ପରିବାରର ବୟସ୍କ ଲୋକ ଖୁବ୍ ସମ୍ମାନ ପାଉଥିଲେ । ଏମିତିକି ପରିବାରର ବୟସ୍କ ଲୋକମାନେ ପରିବାର ସଦସ୍ୟଙ୍କ ସହ ଆଳାପ ଓ ଆଲୋଚନାରେ ସମୟ କାଟୁଥିଲେ । ସେମାନେ ଘରର ସଦସ୍ୟ ଓ ନାତି, ନାତୁଣୀଙ୍କ ସହ ହାସ୍ୟ ପରିହାସ କରି ଘରେ ଏକ ଖୁସିର ବାତାବରଣ ସୃଷ୍ଟି କରୁଥିଲେ । ନିଜେ ଖୁସି ରହିବା ସଙ୍ଗେ ସଙ୍ଗେ ପରିବାରକୁ ମଧ୍ୟ ଖୁସି ଦେଉଥିଳେ । ଏହି ପରିବାରର ବୟସ୍କମାନେ ଅନ୍ୟମାନଙ୍କୁ ସ୍ନେହ, ଶ୍ରଦ୍ଧା, ଭକ୍ତି, ତ୍ୟାଗ ଓ ସହନଶୀଳତାର ଗୁରୁମନ୍ତ୍ର ପଢ଼ାଉଥିଲେ ଯାହାକୁ କି ପରିବାରର ଯୁବପିଢ଼ି ଅକ୍ଷର ଅକ୍ଷରେ ପାଳନ କରି ସୁଚରିତ୍ରବାନ୍ ଓ ଦାୟିତ୍ୱ ସମ୍ପନ୍ନ ହେଉଥିଲେ । ପରସ୍ପରକୁ ଭଲ ପାଇବା ଓ ପରସ୍ପର ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଏହାର ମୂଳମନ୍ତ୍ର । ଏହା ପରିବାରର ଆତ୍ମୀୟତା କହିଲେ ନସରେ । ବାର୍ଦ୍ଧକ୍ୟର କଷାଘାତରେ ବେସାହାରା ବ୍ୟକ୍ତିଟି ଏଠାରେ ସାହାରା ପାଇଥାଏ । ତ୍ୟାଗ ଓ ସହନଶୀଳତା ଏହାର ଆତ୍ମା ହେବା ବେଳେ ନିସ୍ୱାର୍ଥପର ଏହାର ଶରୀର ହୋଇଥାଏ । ଏଠାରେ ଗୁରୁଜନମାନଙ୍କୁ ଭକ୍ତି କରିବା ସମବୟସ୍କମାନଙ୍କୁ ସଦିଚ୍ଛା ଦେବା ଓ ସାନମାନଙ୍କୁ ସ୍ନେହ ଦେବା ଅତି ନିଆରା । ଏହି ପରିବାରରେ ଜୀବନ ଜୀଇଁବା ଏକ ଆନନ୍ଦ ଓ ଆଦର୍ଶାନୁଭିମୂଖୀ । ଏଠାରେ ପିଲାମାନେ ସଂଘର୍ଷମୟ ଜୀବନ ଦେଇ ଗତି କରିଥିବା ବେଳେ ଭବିଷ୍ୟତର ଜୀବନ ଯୁଦ୍ଧରେ ସେମାନେ କେବେ ହାରିଯାଇ ନଥାନ୍ତି । ସଂଗ୍ରାମମୟ ଜୀବନରେ ସେ କେବେ ଏକଲାପଣ ଅନୁଭବ କରେ ନାହିଁ । ଏଠାରେ ଥିବା ଏକ ଛାତ, ଏମ ମନ, ଏକ ପ୍ରାଣ ଏକଲାପଣ ଅନୁଭବ କରିବାକୁ ଦିଏ ନାହିଁ । ଯାହାକି ସମସ୍ତଙ୍କୁ ଏକତାର ମନ୍ତ୍ର ଶିଖେଇଥାଏ । ଏହି ପରିବାରର ଭୋଜି, ଭାତ, ପର୍ବପର୍ବାଣି ପାଳନ କରିବା ଅତି ନିଆରା । ଦୁର୍ଦ୍ଦିନର ରାତ୍ରି ଏଠାରେ ସୁଦିନ ଭଳି ଲାଗେ । ଜୀବନ ରୂପକ ରାସ୍ତା ଏଠାରେ ଚାଲୁ ଚାଲୁ ସରିଯାଏ । ସମସ୍ତ ଦୁଃଖକୁ ଏଠାରେ ସମସ୍ତେ ବାଣ୍ଟିକୁଣ୍ଟି ନେଉଥିବାରୁ ଦୁଃଖ କଣ ଜଣାପଡ଼େ ନାହିଁ । ଏହା ଯୁବପିଢ଼ିମାନଙ୍କୁ ଶୃଙ୍ଖଳା, ସମାନୁବର୍ତ୍ତିତା ଓ କର୍ତ୍ତବ୍ୟବୋଧ ବିଷୟରେ ଶିକ୍ଷା ଦେଇଥାଏ । ସ୍ୱାର୍ଥନ୍ୱେଷି ମଣିଷଟି ଏଠାରେ ବାଟବଣା ହେଲାବେଳେ ନିଶ୍ୱାର୍ଥପର ମଣିଷଟି ଠିକ୍ ବାଟରେ ବାଟୋଇ ହୋଇଥାଏ । ଏଠାରେ ଥିବା ପୁରୁଖା ଲୋକମାନେ ଯୁବପିଢ଼ିଙ୍କୁ ଠିକ୍ ବାଟରେ ପରିଚାଳିତ ହେବା ପାଇଁ ଉପଦେଶ ଦେଇଥାନ୍ତି । ସତରେ ଯୌଥ ପରିବାରଟି ସହନଶୀଳତାର ଏନ୍ତୁଡ଼ିଶାଳ ଭଳି କାର୍ଯ୍ୟ କଲାବେଳେ ଆଜି ଏହି ଏନ୍ତୁଡ଼ିଶାଳ ଭଗ୍ନସ୍ତୁପରେ ପରିଣତ ହେବାକୁ ଯାଉଛି ।
କାଳର ପ୍ରବାହମାନ ଢ଼େଉରେ ସଂଯୁକ୍ତ ପରିବାର ଆଜି ଖଣ୍ଡବିଖଣ୍ଡିତ । ସେହି ଖଣ୍ଡବିଖଣ୍ଡିତ ଭଗ୍ନସ୍ତୁପରୁ ଆଜି କ୍ଷୁଦ୍ର ପରିବାର ସୃଷ୍ଟି । ଏହି କ୍ଷୁଦ୍ର ପରିବାରଟି ଗୋଟିଏ ପୁରୁଷ ଓ ତାର ସ୍ତ୍ରୀ, ସନ୍ତାନସନ୍ତତିିକୁ ନେଇ ଗଠିତ । କ୍ଷୁଦ୍ର ପରିବାର ଆଜି କେବଳ ଆମେ ଦୁଇ ଓ ଆମର ଏକକୁ ଗୁରୁତ୍ୱ ଦେଲାବେଳେ ଜନ୍ମିତ ପିତା ଓ ଗୁରୁଜନମାନଙ୍କୁ ପର କରି ଦେଉଛି । ଆପେ ବଞ୍ôଚଲେ ବାପାର ନାଁକୁ ଶ୍ରେୟ ଦେଉଛି । ଏହି ଯୁବ ସମାଜ ନାମ, ଯଶ ଓ ଅର୍ଥ ପାଇଁ ବ୍ୟାକୁଳ ହେଲା ବେଳେ ଏହି ବ୍ୟାକୁଳତା ତାକୁ ପରିବାର ଠାରୁ ଦୂରେଇ ଦେଉଛି । ଆଧୁନିକ କ୍ଷୁଦ୍ର ପରିବାରର ପିତା, ମାତା କର୍ମ ଜଞ୍ଜାଳରେ ବାହାରକୁ ଅର୍ଥ ଉପାର୍ଜନ ପାଇଁ ଗଲାବେଳେ ନୀରିହ ଶିଶୁଟି ସ୍ନେହ, ଶ୍ରଦ୍ଧାରେ ବଞ୍ôଚତ ହୋଇ ଚାକରବାକରଙ୍କ ଦ୍ୱାରା ଲାଳିତ, ପାଳିତ ହେଉଛି । ଯାହାଦ୍ୱାରା କୋମଳମତି ପିଲାମାନଙ୍କ ମନରେ ପ୍ରତିହିଂସା ଭାବ ସୃଷ୍ଟି ହେଉଛି । ଆଜିର ସହରିସଭ୍ୟତା ଏହି ପରିବାରକୁ ନଷ୍ଟ କରିବାର ମୂଳ କାରଣ । କାରଣ ସହରୀ ମଣିଷ ସହରୀ ସଭ୍ୟତାରେ ସ୍ଥାନର ଅଭାବ ଓ ନିଜର ସ୍ୱାର୍ଥ ସାଧନ ପାଇଁ ଏହି ପରିବାରକୁ ଖଣ୍ଡବିଖଣ୍ଡିତ କରୁଛି । ସହରୀ ସଭ୍ୟତାର ଜୀବିକା ଅର୍ଜନ ଏହାକୁ ଆହୁରି ଫଗୁ କରିଦେଇଛି । ନୂତନ ବଧୂଟି ନୂଆ କରି ଯୌଥ ପରିବାରରେ ପାଦ ଦେବାବେଳେ ସେ ସମସ୍ତ ଦାୟିତ୍ୱ ନେବାକୁ ଅନିଚ୍ଛୁକ । ଯାହାଦ୍ୱାରା ଶାଶୁ, ବୋହୂ ଓ ପରିବାର ମଧ୍ୟରେ ତିକ୍ତତା ଭାବ ସୃଷ୍ଟି ହୁଏ ଓ ଅଦିନରେ ଭୁଲ୍ ବୁଝାମଣା ପାଇଁ ପରିବାରଟି ଭାଙ୍ଗି ଯାଏ । ପରିବାରର ନୂତନ ପିଢ଼ି ଭଲ ଖାଇବା, ଭଲ ପିନ୍ଧିବା, ଭଲ ଉପଭୋଗ କରିବା ଉପରେ ଗୁରୁତ୍ୱ ଦେବାବେଳେ ନିଜ ପରିବାରର ତ୍ୟାଗକୁ ଭୁଲିଯାଏ । “ବସୁଧୈବ ସକୁଟୁବଂ”ର ଭାବନାକୁ ସେମାନେ ଆପଣାର କରି ନପାରିସ୍ୱାର୍ଥପରତା ହୋଇଯାଆନ୍ତି । ସେମାନଙ୍କ ମତରେ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ସନ୍ତାନ ସନ୍ତତ୍ତି । ଏହି ଭାବନା ଦ୍ୱାରା ପରିବାର ଦାୟିତ୍ୱ ନିର୍ବାହ କରିବା ତାଙ୍କ ପ୍ରତି କଷ୍ଟକର । ଫଳରେ ସ୍ୱାର୍ଥପର ଭାବନାରେ ବସବର୍ତ୍ତୀ ହୋଇ ବିବାହର କିଛିଦିନ ପରେ ଏହି ଯୌଥ ପରିବାରରୁ ସେମାନେ ଦୂରେଇ ଯାଆନ୍ତି । ବାର୍ଦ୍ଧକ୍ୟରେ ଉପନୀତ ପିତାମାତା ଓ ଗୁରୁଜନମାନଙ୍କୁ ବେସାହାରା କରିଦେଇ ନିଜେ ପୁରୀ, ପଲାଉ ଖାଆନ୍ତି । ଯେଉଁ ପରିବାରରେ ଅନେକ ପୁତ୍ର ସନ୍ତାନ ଥାଆନ୍ତି ସେମାନେ ଯୌଥ ପରିବାରକୁ ଭାଙ୍ଗି ଟିକ୍ଟିକ୍ କଲାବେଳେ ଜନ୍ମିତ ବାପା, ମା’ଙ୍କୁ ପାଳି କରି ନିଜ ନିଜ ମଧ୍ୟରେ ବାଣ୍ଟି ନିଅନ୍ତି । ପାଳି ସରିଗଲା ପରେ ଏହି ବୃଦ୍ଧ ପିତା, ମାତା ଦୁଇ ମୁଠା ଖାଦ୍ୟ ପାଇଁ ଅନ୍ୟ ପୁତ୍ର ପାଖରେ ଖାଦ୍ୟ ଭିକ୍ଷା କରନ୍ତି । ଏଥିରୁ ବ୍ୟତିକ୍ରମ ହେଲେ ତାଙ୍କ ପାଇଁ ସିଧା ଠିକଣାଟି ବୃଦ୍ଧାଶ୍ରମ ହୋଇଥାଏ । ଆଜିର ସହରୀ ସଭ୍ୟତା ଅତି ମହଙ୍ଗା । ଏଠାରେ ଉପଦେଶତା ପରାମର୍ଶଦାତା ବୋଲି କେହି ନଥାନ୍ତି । ଫଳରେ ଯୁବପିଢ଼ି ଭୁଲ୍ ବାଟର ବାଟୋଇ ହୋଇଥାଏ । ଯୌଥ ପରିବାରରେ ସ୍ନେହ, ଶ୍ରଦ୍ଧା, ପ୍ରେମ, ମମତା, ପର୍ଯ୍ୟାପ୍ତ ମିଳୁଥିବା ବେଳେ ଛୋଟ ପରିବାରରେ ତାହା ମହଙ୍ଗା ହୋଇଥାଏ । ମନସ୍ତତ୍ତ୍ୱବିତ୍ମାନଙ୍କ ମତରେ ଯେଉଁ ପିଲା ଯୌଥ ପରିମାରରେ ବଢ଼ିଥାନ୍ତି ସେମାନେ ବୁଦ୍ଧିଆ ଓ ନୀରୋଗ ରହିଥାନ୍ତି । ମାତ୍ର ଆଜି କୌଣସି ନୂତନ ବଧୂ ଯୌଥ ପରିବାରକୁ ପସନ୍ଦ କରୁ ନଥିବା ବେଳେ ଯୌଥ ପରିବାରରେ ବଢ଼ିଥିବା ପୁତ୍ରଟି କିଛିଦିନ ପରେ ସେହି ପଥର ପଥିକ ହୋଇଥାଏ । ଯେଉଁ ପୁତ୍ର, ପୁତ୍ରବଧୂ ଶାନ୍ତିରେ ସହାବସ୍ତାନ ପାଇଁ ଯୌଥ ପରିବାରରୁ ଦୂରେଇ ଯାଆନ୍ତି, ସେମାନେ ଶାନ୍ତି ପାଇବା ତ ଦୂରର କଥା ବରଂ ଅଶାନ୍ତିର ପଥିକ ହୋଇ ମାନସିକ ବିକୃତି, ମଦ୍ୟକ ଓ ଅଦିନିଆ ଜରାବ୍ୟାଧିେରେ ଶିକାର ହୋଇଥାନ୍ତି । ଅନେକ ଯୌଥ ପରିବାରର ପୁତ୍ର ଏହାକୁ ସହଜରେ ହଜମ କରିପାରୁ ନଥିବା ବେଳେ ଜୀବନ ସାରା ପଶ୍ଚାତାପର ଲେଲିହାନ ଶିଖାରେ ଜଳି ଜଳି ନିଜର ଜୀବନକୁ ନଷ୍ଟ କରି ଦେଇଥାନ୍ତି । ତଥାପି ଆଜି ମଧ୍ୟ ଅନେକ ପରିବାର ଯୌଥ ପରିବାର ରଜୁରେ ବନ୍ଧା । ଭଗବାନ କରନ୍ତୁ ସମୟ ରୂପକ ଭଗ୍ନସ୍ତୁପରେ ଯୌଥ ପରିବାର ଉବିଟୁବି ନଯାଇ ଆଗାମୀ ପିଢ଼ି ପାଇଁ ବଞ୍ଚି ରହୁ ଓ ଯୌଥ ପରିବାରର ତ୍ୟାଗ ସହନଶୀଳତାକୁ ସେମାନେ ଜୀବନରେ ଆଦୋରି ନିଅନ୍ତୁ । ଯଦ୍ୱାର ଅନେକ ବୟସ୍କଙ୍କ ଓଠରେ ଟିକିଏ ହସ ଫୁୂଟି ଉଠିବ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!
ନରୋତ୍ତମ ଷଡଙ୍ଗୀ
ସହକାରୀ ଶିକ୍ଷକ, ଚିନ୍ତାମଣି
ହାଇସ୍କୁଲ, ଦହପଡ଼ା, ବାଲେଶ୍ୱର- ମୋ :୯୪୩୮୭୫୭୬୮୧/ ୭୯୭୮୩୭୮୧୯୯
